ଭୁବନେଶ୍ୱର- ମାହାଙ୍ଗା ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀର ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ନେଇ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।
ଆଜିର ଏହି ସମୀକ୍ଷା ବୈଠକରେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଜଣାଇଥିଲେ ଯେ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ଦେଖା ଯାଉଥିବା ବୈଷୟିକ ତୃଟିକୁ ସୁଧାର ଆଣିବା ଦିଗରେ ଯୋଜନା କରାଯାଉ ଏବଂ ଏଥି ସକାଶେ ଅନୁଦାନ ବାଧକ ହେବ ନାହିଁ । ସାଲେପୁର-ଟାଙ୍ଗୀ ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳରେ ଫନୀ ପରେ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସଂଯୋଗ ଦେବା ସକାଶେ ଅସ୍ଥାୟୀ ଭାବେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ସେହିସବୁ ଅଂଚଳଗୁଡ଼ିକରେ ୭ ଦିନ ମଧ୍ୟରେ ସର୍ଭେ କରି ସେଗୁଡ଼ିକର ସ୍ଥାୟୀ ବ୍ୟବସ୍ଥା କରିବା ସକାଶେ ଏସଇ, କଟକ ଏବଂ ସେସୁ ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପାଇଁ ସମସ୍ତ ସେକସନ୍ ଅଧିକାରୀମାନଙ୍କୁ ମନ୍ତ୍ରୀ କ୍ୟାପ୍ଟେନ ମିଶ୍ର ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ଅସୁରେଶ୍ୱର ଏବଂ ଜାପଗୁଡ଼ାର ୩୩/୧୧ କେଭି ପ୍ରାଇମେରୀ ସବଷ୍ଟେସନ ଓଡ଼ିଏସଏସପି ଦ୍ୱାରା ଆସନ୍ତା ଜାନୁଆରୀ ୧୦ ତାରିଖରେ କାର୍ଯ୍ୟକ୍ଷମ ହେବ । ମଙ୍ଗୁଳୀ, ବିଶ୍ୱବାହାକାଣି, ନାଗଶପୁର ଅଂଚଳରେ ୩୩/୧୧ ଭେି ପ୍ରାଇମେରୀ ସବଷ୍ଟେସନ ସ୍ଥାପନ ସକାଶେ ବୈଠକରେ ଆଲୋଚନା ହୋଇଥିଲା । ମାହାଙ୍ଗା ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ଆବଶ୍ୟକ ହୋଇପଡ଼ିଛି । ୩୨/୩୩ କେଭି ଗ୍ରୀଡ଼ କିମ୍ବା ୨୨୦/୩୩ କେଭି ଗ୍ରୀଡ଼୍ ସ୍ଥାପନ ସକାଶେ ଓପିଟିସିଏଲକୁ ସର୍ଭେ କାର୍ଯ୍ୟ କରିବା ନିମନ୍ତେ ବୈଠକରେ ସ୍ଥିର କରାଯାଥିଲା । ସୌଭାଗ୍ୟ ଯୋଜନାରେ ପ୍ରସ୍ତୁତ ହୋଇଥିବା ତାଲିକା ଯାଂଚ କରାଯାଇ ଯେଉଁ ପରିବାରର ନାମ ନାହିଁ ସେଗୁଡ଼ିକୁ ସଂଶୋଧନ କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ସବିଶେଷ ଆଲୋଚନା ହୋଇଥିଲା । ବୈଠକରେ ସପୃକ୍ତ ଅଂଚଳର ଲୋକପ୍ରତିନିଧି, ସାଲେପୁର ବିଧାୟକ ପ୍ରଶାସ୍ତ ବେହେରା, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।