ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଆଜି ଠାରୁ ଆରମ୍ଭ ହେବ । ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ, ରାମକୃଷ୍ଣଙ୍କ ସହ ପଂଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଘରକୁ ବିଜେ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି । ଚାପ ଡ଼ଙ୍ଗାରେ ମହାପ୍ରଭୁ ବିଜେ କରି ପୁଷ୍କରଣୀରେ ଚାପ ଖେଳିବେ । ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୂଜାପଣ୍ଡା ନିଯୋଗ, ଶୁଦ୍ଧ ସୁଆରଙ୍କ ସହ ଜିଲ୍ଲାପାଳ କଥାବାର୍ତା ହୋଇ ନୀତି ନିର୍ଘଂଟ ବ୍ୟବସ୍ଥାବଳି କରିଛନ୍ତି । ଚନ୍ଦନ ଯାତ୍ରାରେ ଆବଶ୍ୟକ ହେଉଥିବା ରଙ୍ଗୀନ କନା ଗୁଡ଼ିକ ଦରଜି ସେବାୟତ ଯୋଗାଇଛନ୍ତି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ୨୧ ଦିନ ନରେନ୍ଦ୍ର ପୁଷ୍କରଣୀରେ ନୌବିହାର କରିବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସେହିପରି ରଥ ଖଳାରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି । କାଠକୁ ସଂସ୍କାର କରାଯିବ । ଫୁଲ ଚନ୍ଦନ ସିନ୍ଦୁର ଲାଗି କରାଯିବ । ବନଯାତ ନୀତି ଅନୁଯାୟୀ, ଏକ ଚାଳି ଘରେ ଶ୍ରୋତୀୟ ବ୍ରାହ୍ମଣମାନେ ମନ୍ତ୍ର ପାଠ କରିବେ । ରଥ ସଂହିତା ଅନୁଯାୟୀ ପୂଜା ବିଧି କରାଯିବ । ପୂଜା ବିଧି ପରେ ସୁନା ଓ ରୂପା କୁରାଢିରେ ବିଶ୍ଵକର୍ମା ମହାରଣା ମାନେ ରଥ ନିର୍ମାଣ ପାଇଁ ଅଦ୍ୟ ଅନୁକୂଳ ଭାବେ କାଠରେ ବାରିସି ଚାଳନା କରିବେ । ଅପରାହ୍ନ ୪ଟାରେ ରଥ ନିର୍ମାଣ ଅନୁକୂଳ ପାଇଁ ସମୟ ଧାର୍ଯ୍ୟ ହୋଇଛି । ରଥ ନିର୍ମାଣ ଅନୁକୂଳ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ମହାରଣା ମାନଙ୍କ ମସ୍ତକରେ ଶାଢି ବନ୍ଧା ଯିବାର ପରମ୍ପରା ରହିଛି । ସେହିପରି ଅକ୍ଷୟ ତୃତୀୟା ପରଦିନ ଅର୍ଥାତ୍ ଆସନ୍ତାକାଲି ରଥ ଖଳାରେ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ତିନୋଟି ଚାଳି କରାଯାଇଛି । ମୁଖ୍ୟ ବିଶ୍ଵକର୍ମା ମହାରଣା, ରଥକାଠ ଅମିନ, ଚିତ୍ରକର, ରୂପକାର, ଦରଜି ସେବକ, ଓଝା ସେବକ, ଭୋଇ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ । ଜୁନ୍ ୨୦ରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ ।