ପୁରୀ, ଆଜି ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି । ଏହି ଦିବସ ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଦିନ ଯେକୌଣସି ଶୁଭ କାର୍ଯ୍ୟ କରାଗଲେ ‘ଅକ୍ଷୟ ଫଳ’ ପ୍ରାପ୍ତ ହୋଇଥାଏ ଓ ଏହି କାରଣରୁ ଏହାକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା କୁହାଯାଏ ଓ ଅକ୍ଷୟ ଅର୍ଥାତ ଯାହା କେବେବି ବି କ୍ଷୟ ହୁଏ ନାହିଁ; ତୃତୀୟା ହେଉଛି ତିଥି, ମାନ୍ୟତା ଅଛି ଅକ୍ଷୟ ତୃତୀୟା ହେଉଛି ଏପରି ତିଥି, ଯେଉଁ ତିଥିରେ ସୌଭାଗ୍ୟ ଏବଂ ଶୁଭ ଫଳ କେବେବି ଶେଷ ହୁଅ ନାହିଁ ଓ ମୁହୂର୍ତ ଜ୍ୟୋତିଷ ଅନୁସାରେ, ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ (ଦିନଟି) ଅକ୍ଷୟ ତୃତୀୟା ଦିବସର ପ୍ରତ୍ୟେକ ମୁହୂର୍ତ, ସ୍ଵୟଂସିଦ୍ଧ ହୋଇଥାଏ ଅର୍ଥାତ୍ ଯେଉଁ ତିଥିର ସବୁ ସମୟରେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ସ୍ଵୟଂ ସିଦ୍ଧ ମୁହୂର୍ତ ବୋଲି କୁହାଯାଏ । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ବଡ଼ ଶୁଭଦିନ ରୂପେ ବର୍ଣ୍ଣନା କରାଯାଇଛି । ସବୁ କାମର ଅନୁକୂଳ ପାଇଁ ଅକ୍ଷୟ ତୃତୀୟା ଦିନଟି ବେଶ୍ ଭଲ ଓ ଶୁଭ ହୋଇଥିବାରୁ ଏହି ପବିତ୍ର ତିଥିରେ ଗୃହନିର୍ମାଣ, ଗୃହ ପ୍ରବେଶ, ନିର୍ବନ୍ଧ, ବିବାହ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ । ଏହି ତିଥି କୃତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହୋଇଥିବାରୁ କୌଣସି କାମ ଆରମ୍ଭ କଲେ ମହାଫଳ ପ୍ରାପ୍ତି ହୁଏ ।
ସ୍ଵୟଂସିଦ୍ଧ ମୁହୂର୍ତ :- ଯେକୌଣସି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉଦ୍ଦିଷ୍ଟ ଶ୍ରେଷ୍ଠ ସମୟକୁ ମୁହୂର୍ତ କୁହାଯାଏ ଓ ଜ୍ୟୋତିଷ ଶାସ୍ତ୍ରରେ ବର୍ଷକ ମଧ୍ୟରେ ମାତ୍ର ସାଢେ ତିନି ମୁହୂର୍ତକୁ ଶ୍ରେଷ୍ଠ ମୁହୂର୍ତ ଭାବେ ବିବେଚନା କରାଯାଏ ଓ ଏହି ସାଢେ ତିନ ମୁହୂର୍ତକୁ ଅବୁଝ ବା ସ୍ଵୟଂସିଦ୍ଧ ମୁହୂର୍ତ କୁହାଯାଏ, କାରଣ ଏହି ଅବୁଝ ବା ସ୍ଵୟଂସିଦ୍ଧ ମୁହୂର୍ତ ପଂଚାଙ୍ଗ ଦେଖିବାର ଆବଶ୍ୟକତା ନ ଥାଏ ଓ ଏହି ସାଢେ ତିନି ଅବୁଝ ବା ସ୍ଵୟଂସିଦ୍ଧ ମୁହୂର୍ତ ଗୁଡିକ ହେଉଛି – (୧) ବୈଶାଖ ଶୁକ୍ଳ ତୃତୀୟା ତିଥି – ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା, (୨) ଆଶ୍ଵିନ ଶୁକ୍ଳ ଦଶମୀ ତିଥି – ଦଶହରା ବା ବିଜୟା ଦଶମୀ, (୩) କାର୍ତିକ ଶୁକ୍ଳ ପ୍ରତିପଦା ତିଥିର ଅର୍ଦ୍ଧ ମୁହୂର୍ତ- ଅନ୍ନକୁଟ, ଗୋବର୍ଦ୍ଧନ ପୂଜା ଏବଂ (୪) ଚୈତ୍ର ଶୁକ୍ଳ ପ୍ରତିପଦା ତିଥି – ହିନ୍ଦୁ ନବବର୍ଷ ।
ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ଦିନର ବିଶେଷତ୍ଵ
ଅକ୍ଷିମୁଠି ଅନୁକୂଳ:- ଓଡ଼ିଆ ସଂସ୍କୃତି ଅନୁଯାୟୀ, ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । କୃଷକ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ (ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।) ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏହି ଦିନ ଷଠିଦେବୀଙ୍କ ପୂଜା କରନ୍ତି ।
ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ :- ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ମହାପ୍ରଭୁ ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ଘୋଷ ଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ । ଏଥିସହିତ ତିନି ରଥର ମୁଖ୍ୟମହାରଣା ତାଙ୍କର କୁରାଢ଼ୀକୁ ରଥଖଳାରେ ରଖାଯାଇଥିବା ତିନିରଥର ତିନି କାଠଖଣ୍ଡକୁ ସ୍ପର୍ଶ କରାଇ ଭଗବାନ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିଥାନ୍ତି । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ତିନୋଟି ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ, ଚନ୍ଦନ ଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ଵକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠ ଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।
ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ :- ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ଅନ୍ତିମ ତଥା ଶେଷ ଯାତ୍ରା ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଥାଏ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହି ୪୨ ଦିନ ମଧ୍ୟରୁ ପ୍ରଥମ ୨୧ ଦିନ ବ୍ୟାପୀ ମହାପ୍ରଭୁ ବାହାରକୁ ତଥା ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି । ଏହି ବାହ୍ୟ ଜଳକ୍ରୀଡ଼ା ଉତ୍ସବରେ ଭୂଦେବୀଙ୍କ ସହିତ ପଂଚୁପାଣ୍ଡବ, ଶ୍ରୀ କପାଳମୋଚନ, ଶ୍ରୀ ମାର୍କଣ୍ଡେଶ୍ଵର, ଶ୍ରୀ ନୀଳକଣ୍ଠେଶ୍ଵର, ଶ୍ରୀ ଜମ୍ବେଶ୍ଵର ଓ ଶ୍ରୀ ଲୋକନାଥ ଚାପ ଖେଳିବା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରିଥାନ୍ତି । ଅବଶିଷ୍ଟ ୨୧ ଦିନ ଶ୍ରୀମନ୍ଦିର ଭିତରେ ଚନ୍ଦନ ଯାତ୍ରା ସମ୍ପୂର୍ଣ୍ଣ ହୁଏ । ଏହାକୁ ଭିତର ଚନ୍ଦନ ଯାତ୍ରା କୁହାଯାଏ ।