ପୁରୀ, ଜାମ୍ମୁ- କାଶ୍ମୀରର ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର ଆଜି ମଧ୍ୟାହ୍ନରେ ତାଙ୍କ ଗ୍ରାମ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଂଚାୟତର ଖଣ୍ଡାୟତ ସାହିରେ ପହଂଚିଛି । ଆଉ କିଛି ସମୟ ପରେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ଯବାନ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
ଆଜି ସକାଳେ ତାଙ୍କ ପାର୍ଥିବ ଶରୀର ସେନାବାହିନୀର ଗାଡିରେ ଆସି ସାକ୍ଷିଗୋପାଳ ବସଷ୍ଟାଣ୍ଡ ନିକଟରେ ପହଂଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ଓ ଜନସାଧାରଣଙ୍କ ପକ୍ଷରୁ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଥିଲା । ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁକୁ ନିଆଯାଇଥିଲା । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଘଂଟା ଘଂଟା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଦେବାଶିଷ ଅମର ରହେ, ବୀର ଯବାନ ଅମର ରହେ ଧ୍ଵନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ ସ୍ପଷ୍ଟ ବାରି ହୋଇପଡୁଥିଲା । ଅନ୍ୟପକ୍ଷରେ ଯବାନ ଦେବାଶିଷଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକ । ଦେବାଶିଷଙ୍କ ଏକ ୭ ମାସର କନ୍ୟା ସନ୍ତାନ ଓ ପତ୍ନୀ ରହିଛନ୍ତି ।
ପ୍ରକାଶ ଥାଉକି, ରାଜୌରୀ-ପୁଞ୍ଛ ରାଜପଥର ସଂଗୟୋଟ ଅଂଚଳରେ ଗୁରୁବାର ଅପରାହ୍ନରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସହିଦ୍ ୫ ଯବାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ଵାଳ । ଦେବାଶିଷ ୨୦୧୩ ମସିହାରେ ସେନାରେ ଯୋଗ ଦେଇଥିଲେ ।