
ଭୁବନେଶ୍ବର,ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଲାନ୍ସନାୟକ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର ଆଜି ସକାଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡ଼ା ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ବହୁ ରାଜନେତା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ସହିଦ ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ଉପସ୍ଥିତ ଥଲେ। ଏହା ପରେ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳୁଗୁମ ପଞ୍ଚାୟତ ଖଣ୍ଡାୟତସାହିକୁ ନିଆଯାଇଥିଲା ।