-
ବର୍ଷକର ସଫଳତାକୁ ନେଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ରିପୋର୍ଟ କାର୍ଡ଼
ଗଞ୍ଜାମ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ନିର୍ବାଚିତ ପରିଷଦକୁ ୧ ବର୍ଷ ପୁରିଛି । ବର୍ଷକର ସଫଳତାକୁ ନେଇ ଏକ ରିପୋର୍ଟ କାର୍ଡ଼ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଏମସିର ନିର୍ବାଚିତ ପ୍ରତିନିଧି ମାନେ ପ୍ରଦାନ କରିଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗୋଟିଏ ବର୍ଷ ମଧ୍ୟରେ ବହୁ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇ ସଫଳ ହୋଇଥିବା କହିଛନ୍ତି । ୫ ବର୍ଷ ପାଇଁ ନିର୍ବାଚିତ ପ୍ରତିନିଧି ମାନେ ସମସ୍ତଙ୍କୁ ନେଇ ସହରର ବିକାଶ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଶହ ଶହ କୋଟି ଅନୁଦାନ ମିଳିଥିବା ବେଳେ କିପରି ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରାଯିବ ସେନେଇ ବିଇଏମସି କର୍ତୃପକ୍ଷ ଉଦ୍ୟମ କରିଆସୁଛନ୍ତି ବୋଲି ମେୟର ସଂଘମିତ୍ରା ଦଳେଇ କହିଛନ୍ତି ।
ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସମସ୍ତେ ଏକ ହୋଇ ସହରର ବିକାଶ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଗତ ଆର୍ଥିକ ବର୍ଷରେ ବ୍ରହ୍ମପୁର ସହରର ବିକାଶ ପାଇଁ ଶହେ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୬୦୦ କୋଟି ଟଙ୍କା ବ୍ୟୟ କରିବା ନେଇ ନିଗମ ବଜେଟ୍ ପ୍ରସ୍ତୁତ କରିଛି । ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ନାଳ ନର୍ଦ୍ଦମା, ପାର୍କ, କଲ୍ୟାଣମଣ୍ଡପ, ଗୋଷ୍ଠି କେନ୍ଦ୍ର, ଆଲୋକୀକରଣ ସହ ମହିଳା ଗୋଷ୍ଠିଙ୍କୁ ସଶକ୍ତିକରଣ କରିବା ଭଳି ବିଇଏମସି ବିଭିନ୍ନ କାର୍ଯ୍ୟ କରିଛି ବୋଲି ବିଇଏମସି କମିଶନର ଜେ. ସୋନାଲ ସୂଚନା ଦେଇଛନ୍ତି ।