ପୁରୀ, ଜାମ୍ମୁ- କାଶ୍ମୀରର ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ତାଙ୍କ ଗ୍ରାମ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଂଚାୟତର ଖଣ୍ଡାୟତ ସାହିରେ ପହଂଚିଥିଲା । ସହିଦଙ୍କ ଶେଷ ଦର୍ଶନ କରିଥିଲେ ହଜାର ହଜାର ସଂଖ୍ୟାରେ ଜନସାଧାରଣ । ଏହାପରେ ଗାଁ ଶ୍ମଶାନକୁ ନିଆଯାଇଛି ତାଙ୍କ ମରଶରୀର । ଆଉ କିଛି ସମୟ ପରେ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ଯବାନ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
ଆଜି ସକାଳେ ତାଙ୍କ ପାର୍ଥିବ ଶରୀର ସେନାବାହିନୀର ଗାଡିରେ ଆସି ସାକ୍ଷିଗୋପାଳ ବସଷ୍ଟାଣ୍ଡ ନିକଟରେ ପହଂଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ଓ ଜନସାଧାରଣଙ୍କ ପକ୍ଷରୁ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଥିଲା । ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁ ଖଣ୍ଡାୟତ ସାହିକୁ ନିଆଯାଇଥିଲା । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଘଂଟା ଘଂଟା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଦେବାଶିଷ ଅମର ରହେ, ବୀର ଯବାନ ଅମର ରହେ ଧ୍ଵନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ ସ୍ପଷ୍ଟ ବାରି ହୋଇପଡୁଥିଲା । ଅନ୍ୟପକ୍ଷରେ ଯବାନ ଦେବାଶିଷଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକ । ଦେବାଶିଷଙ୍କ ଏକ ୩ ମାସର କନ୍ୟା ସନ୍ତାନ ଓ ପତ୍ନୀ ରହିଛନ୍ତି ।
ପ୍ରକାଶ ଥାଉକି, ରାଜୌରୀ-ପୁଞ୍ଛ ରାଜପଥର ସଂଗୟୋଟ ଅଂଚଳରେ ଗୁରୁବାର ଅପରାହ୍ନରେ ଆତଙ୍କବାଦୀ ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସହିଦ୍ ୫ ଯବାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ଵାଳ । ଦେବାଶିଷ ୨୦୧୩ ମସିହାରେ ସେନାରେ ଯୋଗ ଦେଇଥିଲେ ।