
ଭୁବନେଶ୍ୱର, ବିଶିଷ୍ଟ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ଏକ ଶୋକ ବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ କାନୁନଗୋଙ୍କ ବିୟୋଗ ଖବର ପାଇ ସେ ମର୍ମାହତ । ସ୍ୱର୍ଗତ କାନୁନଗୋ ଜଣେ ପ୍ରବିଣ ରାଜନେତା , ବିଶିଷ୍ଟ ଅର୍ଥନିତୀଜ୍ଞ , ସମାଜ ସେବୀ , ବନ୍ଧୁ ବଚ୍ଛଳ , ମିଷ୍ଠଭାଷୀ ତଥା ଦରଦୀ ହୃଦୟ ବ୍ୟକ୍ତିତ୍ୱ ଥିଲେ । ତିନି ଥର ବିଧାୟକ ଭାବେ ଓ ଥରେ ଜଗତସିଂହପୁରରୁ ଲୋକସଭାକୁ ନିର୍ବାଚିତ ହୋଇ ଥିଲେ । ଉଭୟ ବିଧାନ ସଭା ଓ ଲୋକସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ତାଙ୍କର ସାରଗର୍ଭକ ଆଲୋଚନା ତାଙ୍କୁ ବେଶ ପ୍ରସିଦ୍ଧି ଆଣିପାରିଥିଲା । କଟକ ପୌରପାଳିକାର ଦୁଇଥର ଚେୟାରମ୍ୟାନ ମଧ ହୋଇଥିଲେ । ରାଜ୍ୟ ଅର୍ଥ କମିଶନ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିବା ସହିତ ଏକ ବହୁମୁଖୀ ପ୍ରତିଭାର ପରିଚୟ ସୃଷ୍ଟି କରି ପାରିଥିଲେ । ଏକ ସରଳ ନିରାଡମ୍ବର ଜୀବନ ଯାପନ କରୁଥିବା ସ୍ୱର୍ଗତ କାନୁନଗୋ ଶୃଖଳା ଓ ନିତିନିଷ୍ଠର ଜଣେ ବଡ ସାଧକ ଥିଲେ । ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।
ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।