ମାଲକାନଗିରି, ଗଛରେ ଚଢି ଦୁଇ ଜଣ ନାବାଳକ କୋଳି ତୋଳୁଥିବା ବେଳେ ଗଛ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍ ଆଘାତରେ ଜଣେ ଛଅ ବର୍ଷର ଏବଂ ଅନ୍ୟ ଜଣେ ୧୨ ବର୍ଷ ବାଳକଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପଡିଆ ବ୍ଲକ ଉଣ୍ଡୁରୁ କୋଣ୍ଡା ପଞ୍ଚାୟତ ସଦର ରୋଡ଼ଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଦୁଲା ପଡିଆମୀଙ୍କ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛଅ ବର୍ଷର ପୁଅ ଚନ୍ଦନ ପଡିଆମୀ ଓ ସେହି ଗ୍ରାମର ଲାସା ମାଢିଙ୍କ ୧୨ ବର୍ଷୀୟ ପୁଅ ମାନା ମାଢି ନିକଟସ୍ଥ ସାପ୍ତାହିକ ହାଟ ନିକଟ ଜଙ୍ଗଲକୁ ଆଜି ସକାଳେ କୁସୁମ କୋଳି ଖାଇବାକୁ ଯାଇଥିଲେ । ଏମାନଙ୍କ ସହ ଅନ୍ୟମାନେ ଗଛରେ ଚଢି ଥିଲେ। ଏହି ଦୁଇ ନାବାଳକ ଗଛର ଉପର ଆଡକୁ ଚଢୁଥିବା ବେଳେ ବିଦ୍ୟୁତ ତାର ଥିବା ଏମାନେ ଜାଣି ପାରି ନଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁହେଁ ତଳେ ପଡ଼ି ଯାଇଥିଲେ। ତଳେ ଥିବା ପଥରରେ ପଡ଼ି ମୁଣ୍ଡ ଗଭୀର ଆଘାତ ଲାଗି ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଚନ୍ଦନ ପଡିଆମୀଙ୍କ ବାପା ତାଙ୍କୁ ବଞ୍ଚାଇବା ଆଶାରେ କାଲିମେଳା ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଛନ୍ତି। କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।