ଭୁବନେଶ୍ୱର, ପୁରୀ ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନାରେ ଏତାଲା ଦେଇଛି । ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଟିମ୍ ଥାନାକୁ ଯାଇ ଏତାଲା ଦେଇଛନ୍ତି ।
ସେ କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ମଧ୍ୟ ହଜିଯାଇଛି ବୋଲି ଆଗରୁ କହୁଥିଲେ । ପୁଣି ସରକାର କହିଲେ ମିଳିଗଲା । ପରେ ପୁଣି କୁହାଗଲା ଯେ ଡୁପ୍ଲିକେଟ ଚାବି ମିଳିଛି । ତେଣୁ ରତ୍ନଭଣ୍ଡାର ଚାବି ଭଳି ଫାଇଲ ମଧ୍ୟ ଡୁପ୍ଲିକେଟ ହୋଇଥିବ ବୋଲି ବିଜେପି ସନ୍ଦେହ କରୁଛି । ସୁପ୍ରିମକୋର୍ଟ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ନିଯୁକ୍ତ କରୁନାହାନ୍ତି । ତେଣୁ ଶ୍ରୀମନ୍ଦିର ଯେଉଁ କେଳେଙ୍କାରୀ ଗୁଡ଼ିକ କରିଛନ୍ତି, ସେଗୁଡିକୁ ଲୁଚାଇବା ପାଇଁ ଏ ସବୁ ପ୍ରହସନ କରାଯାଉଛି । ଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ଅନେକ ତଥ୍ୟ ଅଛି । ପୁରୀରେ ବେଦାନ୍ତର ପ୍ରସଙ୍ଗ ଅଛି । ଓଡିଶା ସରକାରଙ୍କୁ ବେଦାନ୍ତ କେସରେ ସୁପ୍ରିମକୋର୍ଟ ଭର୍ସନା କରିଛନ୍ତି । ଅମୃତମହଣି ଜମି ଅଧିଗ୍ରହଣ ବିଷୟରେ ଅନେକ ନେଗେଟିଭ କମେଣ୍ଟ ସୁପ୍ରିମକୋର୍ଟ ଦେଇଛନ୍ତି । ତେଣୁ ସନ୍ଦେହ ହେଉଛି, ଯେ ହଜିଥିବା ଫାଇଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କର କିଛି ନୋଟିସ୍ ଥାଇପାରେ । କାରଣ ସୁପ୍ରିମକୋର୍ଟଙ୍କ ଭର୍ସନା ପରେ ଯଦି ଏସବୁ କଥା ଲୋକଲୋଚନକୁ ଆସେ ତେବେ ଓଡିଶା ସରକାର ଆହୁରି ବଦନାମ ହେବାର ସମ୍ଭାବନା ଅଛି । ତେଣୁ ଫାଇଲ ଗୁଡିକୁ ଜାଣିଶୁଣି ହଜେଇ ଦିଆଯାଇଛି । ଫାଇଲ ହଜି ନାହିଁ ବରଂ ଜାଣିଶୁଣି ଫାଇଲ ଗାଏବ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଯେଉଁ ଅଫିସର ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯ।ଉଛି ।