ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ବିବାଦୀୟ ବିଡ଼ିଓ ପଲ୍ଲବୀରାଣୀ ରାଜ୍ ଙ୍କ ସମ୍ବଲପୁର ବଦଳି ହୋଇଛି । ତାଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି ରାତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି ।
ଶ୍ରୀମତୀ ରାଜ୍ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ରହି ସାଢ଼େ ୩ ବର୍ଷ ତଳେ କୋଇଡ଼ାରେ ଅବସ୍ଥାପିତ ହୋଇଥିଲେ । ସେଠାରେ ସେ ସାଧାରଣ ଲୋକଙ୍କ କାମ ନକରିବା, ଲୋକଙ୍କୁ ଦୁର୍ବ୍ୟବହାର କରିବା, ଲୋକ ପ୍ରତିନିଧିଙ୍କୁ ସମ୍ମାନ ନଦେବା ଭଳି ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ଆସିବା ସହ ସେଠାରେ ନିଜ ମାଆଙ୍କ ନାମରେ ଥିବା ଗାଡ଼ି ଗୁଡିକୁ ପରିବହନ କାମରେ ଲଗାଇ ଅର୍ଥ ରୋଜଗାର କରିବା, ନିଜ ଭାଇଙ୍କ ଦ୍ୱାରା ଠିକା କାମ କରାଇ ଫାଇଦା ନେବା ଭଳି ଅଭିଯୋଗ ହୋଇ ଆସୁଥିଲା । ତେବେ ଶ୍ରୀମତୀ ରାଜ୍ ଙ୍କ ଏଭଳି ଆଚରଣ ବିରୋଧରେ ସମ୍ପୃକ୍ତ ଅଂଚଳର ବିଧାୟକ ବିଧାନସଭାରେ ପ୍ରଶ୍ନ କରିବା ସହ କୋଇଡ଼ା ବନ୍ଦ ଡ଼ାକରା ଦେଇଥିଲେ ଏବଂ ତାଙ୍କ ବଦଳି ଦାବି କରିଥିଲେ । ଏପରିକି ଏମଏଲଏ ଫଣ୍ଡ କାର୍ଯ୍ୟକାରୀ ନକରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା । ତେବେ ସରକାର ଏହାକୁ କର୍ଣ୍ଣପାତ କରିନଥିବା ବେଳେ ହଠାତ୍ ତାଙ୍କ ଭାଇ ଓ ବାପା ତାଙ୍କୁ ମାଡ଼ ମାରିବା ଏବଂ ଏଥିରେ ହସ୍ତକ୍ଷେପ କରିଥିବା ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ନେଇ ଶ୍ରୀମତୀ ରାଜ୍ କୋଇଡ଼ା ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ତାଙ୍କ ବାପାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କିନ୍ତୁ, ଘଟଣା ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପକ୍ଷରେ ସେହିଦିନ ଠାରୁ ସହକାରୀ ଯନ୍ତ୍ରୀ ଓ ବିଡ଼ିଓ ଶ୍ରୀମତୀ ରାଜ୍ କୋଇଡାରୁ ବାହାରେ ରହିଥିବା ବେଳେ ଇତିମଧ୍ୟରେ ରାଜ୍ୟ ସରକାର ଶ୍ରୀମତୀ ରାଜ୍ ଙ୍କୁ ସମ୍ବଲପୁର ବଦଳି କରିଛନ୍ତି । ହେଲେ ସହକାରୀ ଯନ୍ତ୍ରୀଙ୍କ ମାମଲା କ’ଣ ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।