-
ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-
ଅପ୍ରେଲ ୨୧ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ
ଭୁବନେଶ୍ୱର, ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା । ଅପ୍ରେଲ ୨୧ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡୀ କେନ୍ଦ୍ର ବନ୍ଦ ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସ୍କୁଲ ଗୁଡିକ ଖୋଲାଯିବ । ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟାଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି । ରାଜ୍ୟର କେତେକ ସହରର ତାପମାତ୍ରା ଦେଶର ସର୍ବାଧିକ ତାପମାତ୍ରା ରହୁଥିବା ସହରମାନଙ୍କ ତାଲିକାରେ ରହୁଛି । ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ ରାଜ୍ୟରେ ଭୀଷଣ ଗମ ପଡୁଥିବାରୁ ପ୍ରବଳ ତାତିକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଛୁଟି ନିର୍ଦ୍ଦେଶ ଦେଇଥିବା ଶ୍ରୀ ଦାଶ କହିଛନ୍ତି ।
ସେ କହିଛନ୍ତି ଯେ ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ରହିବ । ସେ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ନିଷ୍ପତ୍ତି ହେବ ।
ସେ କହିଛନ୍ତି ଯେ ବର୍ତ୍ତମାନର ନିଷ୍ପତ୍ତି ଅନୁସାରେ ଜୁନ୍ ୧୬ ଯାଏଁ ସ୍କୁଲ ବନ୍ଦ ରହିବ । ସେହିପରି ଆସନ୍ତା କାଲି ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ୟାରେଂଟ-ଟିଚର୍ସ ମିଟିଂ ସ୍କୁଲ୍ରେ ହେବ । ଅଭିଭାବକ ସ୍କୁଲ ଆସିଲା ବେଳେ ପିଲାଙ୍କୁ ସାଥିରେ ଆଣିବେନି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଉ ପାରେ ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦୁଇ ଦିନ(ଏପ୍ରିଲ ୧୯ ଓ ୨୦) ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଥିଲା । ଏହାକୁ ମିଶାଇ ଚଳିତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟଥର ଲାଗି ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରୁ ଫେରିବା ପରେ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଥିଲେ ।