-
ବୁଦ୍ଧଙ୍କ ମାର୍ଗ ହିଁ ଭବିଷ୍ୟତର ମାର୍ଗ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କହିଛନ୍ତି ଯେ ଭଗବାନ ବୁଦ୍ଧଙ୍କ ମାର୍ଗ ହିଁ ଭବିଷ୍ୟତର ମାର୍ଗ । ଏହା ମାର୍ଗରେ ଚାଲିବା ଦ୍ୱାରା ସଂଘର୍ଷ ସ୍ଥାନରେ ସମନ୍ୱୟ ଓ ଅଶାନ୍ତି ସ୍ଥାନରେ ଶାନ୍ତି ପ୍ରାପ୍ତ ହୋଇଥାଏ । ଯଦି ବିଶ୍ୱ ଭଗବାନ ବୁଦ୍ଧଙ୍କ ମାର୍ଗରେ ଚାଲିଥାନ୍ତା ତେବେ ଜଳବାୟୁ ପରିବର୍ତନ ସଂକଟ ଦେଖା ଦେଇ ନଥାନ୍ତା ବୋଲି ପ୍ରଧାନମ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ଦିଲ୍ଲୀ ସ୍ଥିତ ଅଶୋକ ହୋଟେଲରେ ପ୍ରଥମ ଦୁଇ ଦିବସୀୟ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ଏହା କହିଛନ୍ତି । ଏହି ଅବସରରେ ସାରା ବିଶ୍ୱରୁ ଆସିଥିବା ବୌଦ୍ଧ ମତାବଲମ୍ବୀ ମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଯୁଦ୍ଧ ଓ ଅଶାନ୍ତିରେ ପୀଡିତ ବିଶ୍ୱକୁ ଶହ ଶହ ବର୍ଷ ପୂର୍ବେ ବୁଦ୍ଧ ଏଭଳି ସମସ୍ୟାର ସମାଧାନ ପ୍ରଦାନ କରି ଦେଇଥିଲେ ।
ସେ କହିଛନ୍ତି ଯେ ବୁଦ୍ଧ ବ୍ୟକ୍ତି ଠାରୁ ଆଗକୁ ବଢି ଏକ ବୋଧ । ବୁଦ୍ଧ ସ୍ୱରୂପ ଠାରୁ ଆଗକୁ ବଢି ଏକ ବିଚାର । ବୁଦ୍ଧ ଚିତ୍ରଣ ଠାରୁ ଆଗକୁ ବଢି ଏକ ଚେତନା । ବୁଦ୍ଧଙ୍କ ଚେତନା ଚିରନ୍ତନ ଓ ନିରନ୍ତର ଅଟେ ବୋଲି ସେ କହିଛନ୍ତି ।