-
ଜମାକାରୀଙ୍କ ପକ୍ଷରୁ ଗଞ୍ଜାମ ଏସପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧିନ ପୋଚିଲିମା ଓ ନିକଟବର୍ତି ଅଂଚଳରେ ଥିବା ଗୋଲ୍ଡେନ ଲ୍ୟାଣ୍ଡ କମ୍ପାନୀର ଜମି ଉପରେ ବେଆଇନ ପ୍ଲଟିଂ ପାଇଁ ଯୋଜନା ହେଉଥିବା ହିଞ୍ଜିଳିକାଟୁ ଜମାକାରୀ ମଂଚ ଅଭିଯୋଗ କରିଛି । ଏହି ମର୍ମରେ ଜମାକାରୀ ମାନେ ଥାନା ଅଧିକାରୀଙ୍କ ଦ୍ଵାରସ୍ଥ ହୋଇ ଗଞ୍ଜାମ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେମାନଙ୍କ ଅଭିଯୋଗ ହେଉଛି ଏ ସମସ୍ତ ଜମିକୁ ଚିଟଫଣ୍ଡ ସଂସ୍ଥା ଗୋଲ୍ଡେନ ଲ୍ୟାଣ୍ଡ କମ୍ପାନୀ କ୍ରୟ କରିଥିଲା । ଏହି କମ୍ପାନୀରେ ସହଶ୍ରାଧିକ ଜମାକାରୀ ସେମାନଙ୍କର କଷ୍ଟଅର୍ଜିତ ପୁଞ୍ଜି ଜମା କରିଥିବା ବେଳେ ଏଯାଏଁ ମ୍ୟାଚୁରିଟି ରାଶି ପାଇନାହାଁନ୍ତି । ଏଭଳି ପରିସ୍ଥିତିରେ ହିଞ୍ଜିଳିକାଟୁ ଅଂଚଳର କିଛି ଜମି ମାଫିଆଙ୍କ ସହାୟତାରେ ଜମିରେ ବେଆଇନ ଭାବେ ପ୍ଲଟିଂ ପାଇଁ ଯୋଜନା ଚାଲିଛି । ଜଣେ ବ୍ୟକ୍ତି ନିଜକୁ କମ୍ପାନୀର ନିର୍ଦ୍ଦେଶକ ବୋଲି କହି ମାଫିଆ ମାନଙ୍କ ସହ ହାତ ମିଳାଇଛି । ତେବେ ସରକାରୀ ବେଂଚମାର୍କ ଭ୍ୟାଲ୍ୟୁଏସନ ଅନୁସାରେ ଯଦି ଜମି ବିକ୍ରି ହୁଏ, ତାହାଲେ ଜମାକାରୀ ନିଜର ଜମାରାଶି ଫେରିପାଇବେ ନାହିଁ । କାରଣ ମାର୍କେଟ ଭ୍ୟାଲ୍ୟୁଏସନ ଠାରୁ ବେଂଚମାର୍କ ଭ୍ୟାଲ୍ୟୁଏସନ ବହୁତ କମ୍ ଥାଏ । ଏଣୁ ଜମାକାରୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ଜମିକୁ ଖୋଲା ନିଲାମରେ ବିକ୍ରୀ କରି ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ କରିବାକୁ ମଂଚ ଦାବି କରିଛି ।