ଭୁବନେଶ୍ୱର, ତାତିରେ ଲାଗୁନି ବ୍ରେକ୍ । ମୁଣ୍ଡଫଟା ଖରା ଓ ଗୁଳୁଗୁଳି ଅସହ୍ୟ ହେଲାଣି । ଆହୁରି ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୧ ତାରିଖରୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ୨୧ ତାରିଖ ପରେ ତାତି କମିପାରେ ବୋଲି କହିଛି ପାଣିପାଗ ବିଭାଗ । ଅପରପକ୍ଷରେ ବୁଧବାର ମଧ୍ୟ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୁଯଧବାର ଦିନ ସାଢେ ୨ ଟା ସୁଦ୍ଧା ୪୩.୨ ଡ଼ିଗ୍ରୀ ସହ ଝାରସୁଗୁଡା ସର୍ବାଧିକ ଉତପ୍ତ ସହର ପାଲଟିଛି । ସେହିପରି ରାଜଧାନୀରେ୪୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୨୪ ଘଂଟା ମଧ୍ୟରେ ୧୧ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଦେବଗଡ ଓ ଅନୁଗୁଳ ।
ସେହିପରି ଆସନ୍ତାକାଲି ପାଇଁ ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ।
ଅନ୍ୟପକ୍ଷରେ ବୁଧବାର ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ସର୍ବାଧିକ ୪୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ୪୨.୮ ଡ଼ିଗ୍ରୀ ,ଭୁବନେଶ୍ୱର ୪୧.୮ ଡ଼ିଗ୍ରୀ , ହୀରାକୁଦ ୪୧.୬ ଡ଼ିଗ୍ରୀ ,ଚାନ୍ଦବାଲି ୪୦.୬ ଡ଼ିଗ୍ରୀ , କେନ୍ଦୁଝର୪୦.୦ ଡ଼ିଗ୍ରୀ , ବାଲେଶ୍ୱର ୩୬.୪ ଡ଼ିଗ୍ରୀ , ପୁରୀ ୩୪.୦ ଡ଼ିଗ୍ରୀ , ଗୋପାଳପୁର୩୩.୨ ଡ଼ିଗ୍ରୀ ଓ ପାରାଦୀପରେ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।