ଭୁବନେଶ୍ୱର, ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ମେଡିକାଲ ଅଫିସର । ତାଙ୍କ ସହ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡକୁ ମଧ୍ୟ ଅଟକ ରଖିଛି ଭିଜିଲାନ୍ସ । ଅଭିଯୁକ୍ତମାନେ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ସିଏଚସିର ମେଡିକାଲ ଅଫିସର ଡା ପବିତ୍ର କୁମାର ସେଠୀ ଓ ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡି । ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୩୧ ତାରିଖରେ ଦାନଗଦି ଅଂଚଳରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । ହେଲେ ମୃତକଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଉନଥିଲା । ମୃତକଙ୍କ ପୁଅ ବାରମ୍ୱାର ଦାନଗଦି ସିଏଚସି ଆସି ନିରାଶ ହୋଇ ଫେରୁଥିଲେ । ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ମୃତକଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥାନ୍ତି । ଏହି ମାମଲାରେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡିଙ୍କ ମାଧ୍ୟମରେ ଡାକ୍ତର ସେଠୀ ୨୦ ହଜାର ଟଙ୍କା ଲାଂଚ ମାଗିଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ପୁଅ ଏନେଇ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ମୃତକଙ୍କ ପୁଅ ଲାଂଚ ଟଙ୍କା ଦେଉଥିଲେ । ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ସିକ୍ୟୁରିଟି ଗାର୍ଡ ଶ୍ରୀ କାଣ୍ଡି ଓ ଡାକ୍ତର ସେଠୀଙ୍କୁ ଧରିଥିଲେ । ଏପରିକି ସେମାନଙ୍କଠାରୁ ଲାଂଚ ଟଙ୍କା ଜବତ କରିଥିଲେ । ଉଭୟଙ୍କ ଅଟକ ରଖି ଜେରା କରାଯାଉଛି ।