ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କର୍ଲାବାହାଲି ଗ୍ରାମରେ ଏକ କାଠ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କର୍ଲାବାହାଲି ଗାଁ ନିକଟସ୍ଥ ଗୋଚର ଜମିରୁ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର କାଠ ବୋଝେଇ କରି ବୟଲସାଗର ଗ୍ରାମର ନୀଳାମ୍ବର ସାହୁଙ୍କ ପାଖକୁ ଯାଉଥିଲା । ଅତ୍ୟନ୍ତ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ବୁଢ଼ୀବାହାଲ ଓ କର୍ଲାବାହାଲି ରାସ୍ତା ମଝିରେ ଓଲଟି ପଡିଥିଲା । ଟ୍ରାକ୍ଟର ତଳେ ଚାପି ହୋଇଯାଇଥିବାରୁ ଘଟଣାସ୍ଥଳରେ ହିଁ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ବୟଲସାଗର ଗ୍ରାମର କରୁଣାକର ଛତ୍ରିଆ (୩୬) ଏବଂ ଟ୍ରାକ୍ଟରଟି ତାଙ୍କ ନିଜର ବୋଲି ଜଣାପଡିଛି । ଖବର ପାଇ ଦୁର୍ଘଟଣାସ୍ଥଳରେ ଖପ୍ରାଖୋଲ ପୋଲିସ ପହଞ୍ଚି ଶବ ସହ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଖପ୍ରାଖୋଲ ଅଗ୍ନିଶମ ବିଭାଗର ଗାଡ଼ିରେ ମୃତବ୍ୟକ୍ତିଙ୍କ ଶବ ବୁହା ହୋଇ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୫୫/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ଖପ୍ରାଖୋଲ ଥାନା ଏଏସଆଇ ଗୋପାଲ କୃଷ୍ଣ କୁମୁରାଙ୍କ ଠାରୁ ସୂଚନା ମିଳିଛି ।
ଜଙ୍ଗଲ ଗୋଚର ଜମିରେ ଥିବା ଗଛକୁ ବେଆଇନ ଭାବେ କର୍ଲାବାହାଲି ଗ୍ରାମର ୱାର୍ଡ ସଭ୍ୟା ଶ୍ରୀମତୀ ଶୁକ କୁମ୍ଭାର କିପରି ଭାବେ ବୟଲସାଗର ଗ୍ରାମର ନୀଳାମ୍ବର ସାହୁଙ୍କୁ ବିକ୍ରି କଲେ ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।