ଭୁବନେଶ୍ୱର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମ୍ବଲପୁର ଜୋନର ୧୨ଟି ଜିଲ୍ଲାର ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ହୋଇଯାଇଛି ।
ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିୟମ୍ ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ହିଁ ଆମର ଲକ୍ଷ୍ୟ । ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି ଆମକୁ ଶିକ୍ଷାକ୍ଷେତ୍ରରେ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ । ଡି.ଇ.ଓ ଏବଂ ବି.ଇ.ଓମାନେ ଏବଂ ସିଆରସିସିମାନେ ବିଦ୍ୟାଳୟ ପର୍ଯ୍ୟବେକ୍ଷଣ କରିବା, ଛାତ୍ରମାନଙ୍କ ନାମଲେଖା, ଶତପ୍ରତିଶତ ପିଲା ଦଶମ ପରୀକ୍ଷା ଦେବା, ଡ୍ରପ୍ ଆଉଟ୍ କମାଇବା, ପିଲାମାନଙ୍କୁ ପୁନଃ ସ୍କୁଲକୁ ଫେରାଇ ଆଣିବା ଏବଂ ଛୁଟିରେ ଶିକ୍ଷକମାନେ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ପାଠ୍ୟକ୍ରମ ସଂପର୍କରେ ପଚାରି ବୁଝିବା ବାବଦରେ ମନ୍ତ୍ରୀ ଶ୍ରୀ ଦାଶ ଗୁରୁତ୍ୱ ପ୍ରଦାନ କରିଥିଲେ ।
ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ୱଥୀ ଏସ୍. ଶିକ୍ଷାର ବିକାଶ ଏବଂ ବିଭାଗର ସମସ୍ତ ସ୍କିମ୍ ତଥା ଉଦ୍ୟମର ସଫଳ ରୂପାୟନ ନିମନ୍ତେ ଯଥାସାଧ୍ୟ ପ୍ରୟାସ କରିବାକୁ ଡି.ଇ.ଓ ଏବଂ ବି.ଇ.ଓମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର, ଏସ୍ସିଇଆରଟିର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସମ୍ବଲପୁର ଜୋନର ୧୨ଟି ଜିଲ୍ଲାରୁ ଆସିଥିବା ସମସ୍ତ ଡି.ଇ.ଓ ଏବଂ ବି.ଇ.ଓଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।