
ଗଞ୍ଜାମ- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ ଶେରେଗଡ଼ ବ୍ଲକର ପିତଳ ଗ୍ରାମର ବଜାର ମଧ୍ୟରେ ନୂତନ ସଡ଼କ ନିର୍ମାଣ ଚାଲିଥିବା ବେଳେ ବଜାର ମଧ୍ୟସ୍ଥ ଧୋବାସାହି ନିକଟରେ ଥିବା ନଳକୂପ ଚଉତରା ଏବଂ ସ୍ମୃତି ମଣ୍ଡପ ଭାଙ୍ଗି ଏହା ଉପରେ ଡ଼୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଛି । ଗ୍ରାମ୍ୟ ନେତାଙ୍କ ପ୍ରରୋଚନାରେ କଂଟ୍ରାକ୍ଟରଙ୍କ କର୍ମଚାରୀ ମାନେ ମନମୁଖୀ ଭାବେ ଏଭଳି ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ସାଧାରଣରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସଡ଼କ ପରେ ଉତର ଧାଡ଼ିରେ ଲୋକଙ୍କ ବାସଗୃହକୁ ଲାଗି ଡ଼୍ରେନ୍ ନିର୍ମାଣ କରାଯାଉଥିବା ବେଳେ ଦକ୍ଷିଣ ସାହି ଗ୍ରାମ୍ୟ ନେତାଙ୍କ ଗୃହ ଏହି ପାଶ୍ୱର୍ରେ ରହୁନଥିବାରୁ ସେମାନଙ୍କ ଘର ଠାରୁ ଦୂରରେ ଡ଼୍ରେନ୍ ଓ ରାସ୍ତା ନିର୍ମାଣ କରାଯାଉଛି । ଯାହାକି ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶେରେଗଡ଼ ତହସିଲ୍ ର ରାଜସ୍ୱ ଅଧିକାରୀ ମାନେ ଆସି କାର୍ଯ୍ୟର ସମୀକ୍ଷା କରି ମାପଚୁପ କରି ସ୍କୃତି ସ୍ତମ୍ଭ, ଚଉତରା ଏବଂ କୂପ ନଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଭୃକ୍ଷେପ ନକରି କଂଟ୍ରାକ୍ଟର କାମ କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ କ୍ରମଶଃ ତୀବ୍ର ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।