ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ନ ହେବାରୁ ପୂର୍ବତନ ସରପଞ୍ଚ ରାଧାନାଥ ବିଶ୍ଵାଳଙ୍କ ଆମରଣ ଅନଶନ ଆଜି ଦ୍ଵିତୀୟ ଦିନରେ। ସେ ଲୋଇସିଂହା ବ୍ଲକ୍ କାର୍ଯ୍ୟାଳୟ ଆଗରେ ଗତକାଲି ଠାରୁ ଆମରଣ ଅନଶନରେ ବସିଛନ୍ତି।
ସେ କହିଛନ୍ତି ଯେ, ପଞ୍ଚାୟତରେ କିଛି କାମ ନହୋଇ ମଧ୍ୟ ବିଲ ହୋଇଛି। ଶ୍ରୀ ବିଶ୍ଵାଳ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଗୋଟିଏ କାମରେ ଦୁଇ ଦୁଇ ଥର ବିଲ ହୋଇଛି। ମନରେଗା କଥା ନ କହିବା ଭଲ। ବ୍ୟକ୍ତି ବିଶେଷ ନଥାଇ ମଧ୍ୟ ତାଙ୍କ ନାମରେ ଟଙ୍କା ଉଠା ଯାଇଛି। ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ସେ ପ୍ରଥମେ ଆରଟିଆଇ ରେ ତଥ୍ୟ ମାଗିଥିଲେ। ତଥ୍ୟରୁ ସେ ଜାଣିବାକୁ ପାଇଲେ ପାଞ୍ଚ ବର୍ଷ ମଧ୍ୟରେ ସର୍ବମୋଟ ୪୩ ପ୍ରକାର କାମ ଉପରେ ଦୁର୍ନୀତି ହୋଇଛି। ତାପରେ ସେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ, ହେଲେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଫଳରେ ସେ ବାଧ୍ୟ ହୋଇ ଅନଶନରେ ବସିଥିବା କହିଛନ୍ତି। ଏହା ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ମୁଁ ଅନଶନରେ ବସିବି ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ସରପଞ୍ଚ ରାଧାନାଥ ବିଶ୍ଵାଳ।