ଝାରସୁଗୁଡା/ଭୁବନେଶ୍ୱର,ଓଡିଶାର ଜଣେ ପ୍ରଭାବଶାଳୀ ବିଜେଡି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କଲେ । ରାଜ୍ୟ ସରକାର ମଧ୍ୟ କ୍ରାଇମବ୍ରାଂଚ ଦ୍ୱାରା ଘଟଣାର ତଦନ୍ତ କରାଇଲେ । ୮୦ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ କାରଣ ସଂପର୍କରେ ଜଣାପଡିଲା ନାହିଁ । ଆମେରିକା ସଂସ୍ଥା ନାଁରେ ଏଫବିଆଇ ତଦନ୍ତର ଭେଳିକି ୫୦ ଦିନ ପୂରିଲା, ଆପଣ ଏଥିରେ ସନ୍ତୁଷ୍ଟ କି ? ନିର୍ବାଚନ ଆୟୋଗ ନିଜ ସାମ୍ବିଧାନିକ ଦାୟୀତ୍ୱନୁଯାୟୀ ଖାଲି ପଡିଥିବା ଝାରସୁଗୁଡା ଉପନିର୍ବାଚନ କରାଉଛନ୍ତି । ଅପର ପକ୍ଷରେ ଦିବଙ୍ଗତ ନବ ଦାସଙ୍କ ଅବର୍ତମାନରେ ତାଙ୍କ ପରିବାରର ମୁରବୀ ସାଜିଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ସ୍ୱର୍ଗତ ନବ ଦାସ ଓ ତାଙ୍କ ପରିବାରକୁ କେବେ ନ୍ୟାୟ ଦେବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡିଙ୍କ କାକା ୱାଇ.ଏସ. ବିବେକାନନ୍ଦ ରେଡ୍ଡିଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟଣାରେ ତାଙ୍କ ଝିଅ ସୁନୀତା ସିବିଆଇ ତଦନ୍ତ ପାଇଁ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ୪ ବର୍ଷ ପରେ ବର୍ତମାନ ସେ ତାଙ୍କ ବାପାଙ୍କ ପ୍ରକୃତ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛନ୍ତି । ନବ ଦାସଙ୍କ ଝିଅ ସୁନୀତାଙ୍କୁ ରୋଲ ମଡେଲ କରି ତାଙ୍କ ବାପାଙ୍କ ହତ୍ୟାର ସତ୍ୟାସତ୍ୟ ଜାଣନ୍ତୁ ବୋଲି ସେ କହିଛନ୍ତି ।
ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ନବ ବାବୁଙ୍କ ପରିବାର ସଦସ୍ୟ ଏବଂ ବର୍ତମାନର ମୁରବୀ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ପତ୍ର ଲେଖନ୍ତୁ । ନଚେତ୍ ନବ ବାବୁଙ୍କ ଦାୟଦମାନେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟର ଆଶ୍ରୟ ନିଅନ୍ତୁ । ଅସଲ ଷଡଯନ୍ତ୍ରର ଖୁଲାସା ହେଲେ ପ୍ରକୃତ ଦୋଷୀ ସାମ୍ନାକୁ ଆସିବେ ଏବଂ ତାହା ହିଁ ଦିବଙ୍ଗତ ନବ ଦାସଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର ଏବଂ ଜିଲ୍ଲା ସାଧାରଣ ସଂପାଦକ ବିମଳେନ୍ଦୁ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ ।