
ଭୁବନେଶ୍ୱର, ଓଡ଼ିଶାର ୪.୫କୋଟିରୁ ଅଧିକ ଲୋକଙ୍କ ସହ ପଶୁ ଓ ପକ୍ଷୀ ମଧ୍ୟ ନଦୀ ଉପରେ ନିର୍ଭର କରିଥାନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ଓଡ଼ିଶାର ନଦୀଗୁଡିକ ଶୁଷ୍କ ଓ ପ୍ରଦୂଷିତ ହୋଇଗଲାଣି । ଏନେଇ ଭାରତୀୟ ଜନତା ପାର୍ଟି ନଦୀ ସୁରକ୍ଷା ସମିତି(ନମାମୀ ଗଙ୍ଗେ)ର ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ଦେଇଛନ୍ତି ।
କଳ କାରଖାନା ଓ ଶିଳ୍ପଗୁଡିକ ଯେତିକି ପରିମାଣର ଜଳ ନେବାକୁ ଅନୁମତି ଦିଆଯାଉଛି ସେମାନେ ତା’ଠାରୁ ଅଧିକ ଜଳ ନଦୀଗୁଡିକରୁ ଶୋଷି ନେଉଛନ୍ତି । ଶିଳ୍ପ କାରଖାନା ପାଣିକୁ ବ୍ୟବହାର ପରେ ୱାଟର ଟ୍ରିଟମେଂଟ ପ୍ଲାଂଟ୍ ଯୋଗେ ପରିଷ୍କାର କରି ପୁର୍ନବାର ବ୍ୟବହାର କରିବା କଥା ମାତ୍ର ମଇଳା ପାଣିକୁ ସଫା ନକରି ସିଧାସଳଖଭାବେ ନଦୀକୁ ଛାଡୁଥିବାରୁ ନଦୀଜଳ ପ୍ରଦୂଷିତ ହେଉଛି । ସେହିପରି ସହରାଂଚଳରେ ଥିବା ଡ୍ରେନ ପାଣି ବିଶୁଦ୍ଧ କରାନଯାଇ ସିଧା ନଦୀରେ ଛଡାଯାଉଛି ।
ସେହିପରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ଷା ଋତୁରେ ନଦୀରୁ ବାଲି ଉଠାଇବାକୁ ବାରଣଥିବାବେଳେ ଏହାକୁ ଉଲଘଂନ କରି ବାଲି ମାଫିଆମାନେ ବର୍ଷାଦିନେ ନଦୀମାନଙ୍କରୁ ବାଲି ଚାଲାଣ କରୁଛନ୍ତି । ଶାସକ ଦଳର ନେତା, ମନ୍ତ୍ରୀମାନଙ୍କ ଚାପ ଯୋଗୁଁ ଆରଆଇ, ତହସିଲଦାରମାନେ ବାଲିମାଫିଆମାନଙ୍କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବାଲି ପଟାଦାରମାନଙ୍କୁ ସରକାରୀ ନିୟମକୁ ଉଲଘ୍ନନ କରି ଶାସକ ଦଳର ଚାପରେ ଲାଇସେନ୍ସ ପ୍ରଦାନ କରାଯାଇଛି । କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ମୟୂରଭଞ୍ଜ, ବଲାଙ୍ଗିର, ସମ୍ବଲପୁର, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାମାନଙ୍କରେ ବର୍ଷା ଦିନେ ଗ୍ରୀନ ଟ୍ୟୁବୁନାଲର ନିୟମକୁ ଉଲଘଂନ କରି ଦିନ ଦ୍ୱିପହରେ ଖୁଲମଖୁଲା ବାଲି ଉତୋଳନ କରାଯାଉଛି । ଏଥିପ୍ରତି ରାଜ୍ୟ ସରକାର ଅବହେଳା ନକରି ଜଳ ପ୍ଲାବିକ ଓ ପ୍ରଦୂଷଣ ମୁକ୍ତ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ । ଯଦି ନବୀନ ବାବୁ ଏଥିପ୍ରତି ପଦକ୍ଷେପ ନନେବେ ତାହାଲେ ବିଜେପି ନଦୀ ସୁରକ୍ଷା ସମିତି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପଦେଷ୍ଟା ଅଶ୍ରୁମୋଚନ ମହାନ୍ତି, ରାଜ୍ୟ ସହ ସଂଯୋଜକ ଅଶୋକ କୁମାର ରଥ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା ଓ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ ସହସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, କଟକ ଜିଲ୍ଲା ସଂଯୋଜକ ସଞ୍ଜୀବ ରଣା, କଟକ ନଗର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ବେହେରା, ବାଇଧର ଚିନ୍ଦ୍ରା ଓ ମନୋଜ କୁମାର ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ ।