
ଗଞ୍ଜାମ- ଗଞ୍ଜାମ ଜିଲ୍ଲା ପିତଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଭାବେ ବସୁନି ରୋଗୀ କଲ୍ୟାଣ ସମିତି ବୈଠକ । ଫଳରେ ଡ଼ାକ୍ତରଖାନାର ଉନ୍ନୟନମୂଳକ କାର୍ଯ୍ୟ ଓ ରୋଗୀ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇଯାଇଛି । ଏପରିକି ସରକାରଙ୍କ ପକ୍ଷରୁ ରୋଗୀ କଲ୍ୟାଣ ସମିତି ନିମନ୍ତେ ଆସୁଥିବା ଅର୍ଥର ମଧ୍ୟ ସଠିକ୍ ବିନିଯୋଗ ହୋଇପାରୁନଥିବା ଅଭିଯୋଗ ହେଉଛି । ସମିତିର କାର୍ଯ୍ୟକାରୀ କମିଟି ସଦସ୍ୟ ମାନଙ୍କୁ ମଧ୍ୟ ବୈଠକକୁ ଡ଼କାଯାଉନାହିଁ । ବିଶେଷ କରି ରାଜନୈତିକ ଅଭିସନ୍ଧିମୂଳକ ଭାବେ ରୋଗୀ କଲ୍ୟାଣ ସମିତି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଘଟଣାର ତଦନ୍ତ କରି ପିତଳ ରୋଗୀ କଲ୍ୟାଣ ସମିତି ବୈଠକକୁ ନିୟମିତ କରିବାକୁ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି ।