ଗଞ୍ଜାମ, ଶେରଗଡ଼ ବ୍ଲକର ପିତଳ ନୂତନ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଜନ ଆରୋଗ୍ୟ ସମିତି ବୈଠକ ଆଜି ମଧ୍ୟାହ୍ନରେ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ବରୁଣ ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆୟୁଷ ଡାକ୍ତର ଦେବାଶିଷ ଶତପଥି ଗତ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ । ଏହାକୁ ବୈଠକରେ ଅନୁମୋଦନ କରାଯାଇଥିଲା । ଏହାପରେ ବୈଠକରେ ଷ୍ଟାଫ୍ କ୍ଵାର୍ଟର ନିର୍ମାଣ, ହସ୍ପିଟାଲ ବିଲ୍ଡିଂ ମରାମତି, ବିଲ୍ଡିଂର ଆଭ୍ୟନ୍ତରିଣରେ ରଙ୍ଗିନ ପ୍ରଲେପ ପ୍ରଦାନ, ପାନୀୟ ଜଳ ସେବା ପ୍ରଦାନ ପାଇଁ ବଡ ଆକ୍ଵାଗାର୍ଡ଼ ସ୍ଥାପନ, ହସ୍ପିଟାଲ ଫାଟକକୁ ପୁନଃ ନିର୍ମାଣ ଓ ହସ୍ପିଟାଲ ପରିସରରେ ସିସି କ୍ୟାମେରା ସଂଯୋଗ କରିବା ପାଇଁ ଆଲୋଚନା କରାଯାଇ ଏହାକୁ ତ୍ଵରାନ୍ବିତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ବୈଠକରେ ଶେରଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ବସନ୍ତ କୁମାର ଦାଶ, ପିତଳ ନୂତନ ଚିକିତ୍ସା କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ଆଶିଷ କୁମାର ସାହୁ, ଏନଜିଓ ସଦସ୍ୟ ଡା. ହୃଷିକେଶ ମହାନ୍ତି, ସରପଂଚ ରାମ ରାଘବ ପାତ୍ର, ବିପିଏମ ପ୍ରଦୀପ୍ତ କୁମାର ବେହେରା ଉପସ୍ଥିତ ରହି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଫାର୍ମାସିଷ୍ଟ ବିବେକାନନ୍ଦ ସୁବୁଦ୍ଧି ଧ ନ୍ୟବାଦ ଅର୍ପଣ କରିଥିଲେ ।