ବଲାଙ୍ଗିର, ବର୍ଷ ବର୍ଷ ଧରି ଯେଉଁଠି ରହୁଥିଲେ, ଯେଉଁଠି ଭୂମିଷ୍ଠ ହୋଇ ଛୋଟରୁ ବଡ ହେଲେ, ସେମାନଙ୍କ ଅଳିଅର୍ଦ୍ଦଳି ସହିଥିବା ସର୍ବଂସହା ଜନ୍ମମାଟିକୁ ପର କରି ଶେଷରେ ବିସ୍ଥାପିତ ହେବାକୁ ପଡ଼ୁଛି । ବିସ୍ଥାପନ ଦୁଃଖ ଯେ, କେତେ କଷ୍ଟଦାୟକ, ତାହା ବର୍ଣ୍ଣନା କରିବା ଅସମ୍ଭବ । ରାଜା ରାଜୁଡ଼ା ଅମଳରୁ ଗଢ଼ି ଉଠିଥିବା ଏକ ଗାଆଁ ହେଉଛି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲ୍ଲୀ । ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଉକ୍ତ ଗାଁ ଆଜି ମାଟିରେ ମିଶିଛି । ଆଜି ସେଠାକାର ଲୋକେ ଗାଁ ମାଟିକୁ ଛାଡ଼ି ସବୁଦିନ ପାଇଁ ଅନ୍ୟତ୍ର ଚାଲିଯିବା ବେଳର ଦୃଶ୍ୟ ସମସ୍ତଙ୍କୁ ଲୋତକାପ୍ଲୁତ କରିଛି । ପୌଢ଼ଙ୍କ ଆପ୍ତବାକ୍ୟ “ଠାନ୍ ଛାଡଲେ ପରାନ ଛାଡ଼ସି” ଆଜି ଏକ ପ୍ରକାର ସତ ପ୍ରମାଣିତ ହେଉଛି । ଗାଁର ମୋଟ ଜନସଂଖ୍ୟାର ୪୨ଭାଗ ଏବେ ବିସ୍ଥାପିତ । ବାକି ରହିଯାଉଥିବା ଲୋକେ ଆଶଙ୍କାରେ ଜୀବନ ଅତିବାହିତ କରିବାର ଦମ୍ଭ ସାଉଁଟୁ ଥିବା ବେଳେ ନିଜ ଆତ୍ମୀୟ ସ୍ଵଜନଙ୍କ ଠାରୁ ସବୁଦିନ ପାଇଁ ଅଲଗା ରହିବାର ଦୁଃଖରେ ଧୈର୍ଯ୍ୟହରା ହୋଇ ପଡୁଛନ୍ତି ।
ବଲାଙ୍ଗିର-ପାଟଣାଗଡ ଠିକ୍ ମଝି ଭାଗରେ ଥିବା ଶତାଧିକ ବର୍ଷର ପୁରାତନ ଗାଁ ଚୁଡ଼ାପାଲି ଆଜି ସୁକତେଲ ପ୍ରକଳ୍ପ ପାଇଁ ମାଟିରେ ମିଶୁଛି । ପ୍ରକଳ୍ପରେ ଆସୁଥିବା ସବୁଠୁ ବଡ଼ ଗାଁ । ଏବେ ଅନ୍ୟ ପାଇଁ ନିଜେ ବିସ୍ଥାପିତ ଅସୁମାରୀ ଦୁଃଖକୁ ନେଇ । ଯାହା କିଛି ମିଳିଛି ଏବର ଦୁନିଆଁରେ ସମୁଦ୍ରକୁ ଶଙ୍ଖେ ସଦୃଶ । ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାର ଆଜି ଷଷ୍ଠ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ଅସହ୍ୟ ତାତିରେ ମଧ୍ୟ ବିରାଟ ବିରାଟ ଚାରୋଟି ବୁଲ୍ଡୋଜର ସାହାଯ୍ୟରେ ଘରଭଙ୍ଗା ଚାଲିଛି । ଲୋକେ ବାଧ୍ୟ ହୋଇ ନିଜ ନିଜ ଅସ୍ଥାୟୀ ଘରକୁ ଚାଲିଯାଉଛନ୍ତି । ଏକା ସାଙ୍ଗରେ ହଜାର ହଜାର ଲୋକଙ୍କ ଗୃହ ନିର୍ମାଣ ପାଇଁ ଏତେ ପରିମାଣର କାରିଗର ଉପଲବ୍ଧ ହୋଇପାରୁ ନଥିବା ଲୋକଙ୍କ ପାଇଁ ଅନ୍ୟ ଏକ ଅସୁବିଧା ସୃଷ୍ଟି ହେଉଛି । ଗରିବ ଶ୍ରେଣୀର ଲୋକେ ପଲିଥିନ ତଳେ ରହୁଛନ୍ତି । ଗାଁର ପୁରୁଣା ବସ୍ତି ସମ୍ପୂର୍ଣ୍ଣ ମାଟିରେ ମିଶୁଥିବା ବେଳେ କେବଳ ମଝି ଭାଗ ରହିଯାଉଛି । ଯାହାକି ପ୍ରଶାସନର ସର୍ଭେ କାର୍ଯ୍ୟକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଉଚ୍ଛେଦ ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟ କୁହାଯାଉଥିବା ବେଳେ ଆର୍ଥିକ ସହାୟତା ପ୍ରଦାନକୁ ନେଇ ଲୋକଙ୍କ ଅନେକ ସମସ୍ୟା ରହିଥିବା ଖବର ଆସୁଛି । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଲୋକଙ୍କୁ କିଛି କାରଣରୁ ଅର୍ଥରାଶି ମିଳିନଥିବା ବେଳେ ଭୂମିହୀନ ପରିବାରକୁ ଏପର୍ଯ୍ୟନ୍ତ ସର୍ଭେ କରି କେତେ ପରିମାଣ ଓ କେବେ କ୍ଷତିପୂରଣ ମିଳିବ ସଠିକ୍ ଜଣାପଡିନାହିଁ । ସେଥିପାଇଁ ଭୂମିହୀନ ଲୋକେ ଦ୍ବନ୍ଦରେ ରହିଥିବା ଦେଖିବାକୁ ମିଳୁଛି । ଯେଉଁମାନେ ବହୁ ପୂର୍ବରୁ ସହାୟତା ରାଶି ପାଇ ସାରିଛନ୍ତି ଏବେ ସେମାନଙ୍କ ଘର ଭଙ୍ଗା ହେଉନଥିବା ବେଳେ ବହୁପରେ ସହାୟତା ରାଶି ପାଇଥିବା ତଳ ଶ୍ରେଣୀର ଲୋକଙ୍କ ଘର ଭଙ୍ଗା ହେଉଥିବା ଭଳି ଅଭିଯୋଗ ମଧ୍ୟ ଆସୁଛି, ଯାହାକି ଉପସ୍ଥିତ ଥିବା ପ୍ରଶାସନର ଅଧିକାରୀଙ୍କ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହେଉଛି । ଉପରିସ୍ଥ ଅଧିକାରୀ ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ କରିବାକୁ ମତ ପ୍ରକାଶ ପାଇଛି।