କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଭାରତ ସ୍କାଉଟ ଆଣ୍ଡ ଗାଇଡ୍ସ ରେ ଉଲ୍ଲେଖନୀୟ ସେବା ପାଇଁ ପୁରୀ ଜିଲ୍ଲା ସ୍କାଉଟ ସଙ୍ଗଠନ କମିଶନର ଦେବାଶିଷ ମିଶ୍ର ସମ୍ମାନିତ ହୋଇଛନ୍ତି।
ଶନିବାର ରାଜଭବନ ଅଭିଷେକ ହଲରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ ଗାଇଡ୍ସର ୩୭ ତମ ରାଜ୍ଯ ପୁରସ୍କାର ଉତ୍ସବରେ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ ଦେବାଶିଷଙ୍କୁ “ସର୍ଭିସ ଷ୍ଟାର୍” ପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି l ଏହି ଉତ୍ସବରେ ଭାରତ ସ୍କାଉଟ ଆଣ୍ଡ ଗାଇଡ଼ର ରାଜ୍ଯ ମୁଖ୍ଯ କମିଶନର ତଥା ରାଷ୍ଟ୍ରୀୟ ଉପସଭାପତି ଡ. କାଳିପ୍ରସାଦ ମିଶ୍ର, ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରା, ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ଦୋରା, ରାଜ୍ଯ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ରାଜ୍ଯ ସଙ୍ଗଠନ କମିଶନର ଅନାମିକା ଦାସ ପରିଚାଳନା କରିଥିଲେ l
ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଦେବାଶିଷ ଛାତ୍ର ଜୀବନରୁ ସେବା ସହ ଜଡିତ ଅଛନ୍ତି। ପାଠ ପଢିବା ବେଳେ ସହପାଠୀଙ୍କୁ ଧରି ବଗିଚା ସଫା ଠାରୁ, ଚାରାରୋପଣ, ଗଛରେ ପାଣି ଦେବା, ପରିବେଶ ସୁରକ୍ଷା କାର୍ଯ୍ୟ କରି ଆସୁଛନ୍ତି। ବୟସ ବଢିବା ସହ ଏହା ତାଙ୍କ ଜୀବନର ବ୍ରତ ପାଲଟି ଯାଇଛି। କଲେଜ ପାଠପଢା ସମୟରେ ପରିବେଶ ସୁରକ୍ଷା, ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ, ରକ୍ତଦାନ, ରଥଯାତ୍ରା ରେ ସେବା କାର୍ଯ୍ଯ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଙ୍ଗମାନଙ୍କୁ ଧରି ଲୋକଙ୍କ ସହାୟତା ଦିଗରେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ସେବା ର ଜଣେ ପୂଜାରୀ ଭାବେ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ସହଯୋଗ, ଅଚିହ୍ନା ଲୋକଙ୍କ ଶବଦାହ, ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସ୍ବଚ୍ଛତା ଅଭିଯାନ, ବେଳାଭୂମି ସଫେଇ, ସଡ଼କ ସୁରକ୍ଷା, ଐତିହ୍ଯ ସ୍ଥଳ ସଂରକ୍ଷଣ, ପ୍ରଚାର ପ୍ରସାର ଦିଗରେ ଦେବାଶିଷ ଙ୍କ କାର୍ଯ୍ୟ ପ୍ରଶଂସନୀୟ। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ଯ ହୋଇଛନ୍ତି। ପୁରୀ ଜିଲ୍ଲା ସ୍କାଉଟ ସଙ୍ଗଠନ କମିଶନର ଭାବେ ଦୀର୍ଘ ଦିନ ଧରି ସେବା ଯୋଗାଇ ଆସୁଛନ୍ତି। ରଥଯାତ୍ରାରେ ସମୟରେ ପିଲାଙ୍କୁ ଧରି ନବ ଦିନ ବ୍ଯାପୀ ବିଭିନ୍ନ ସେବା ଯୋଗାଇବା ତଥା ସ୍ବଚ୍ଛତା ଅଭିଯାନ କୁ ସଫଳ ରୂପାୟନ ଦିଗରେ ତାଙ୍କ ଅବଦାନ ଅତୁଳନୀୟ ।
ବାତ୍ୟା ଓ ମହାବାତ୍ୟା ପ୍ରଭାବିତ ଅଞ୍ଚଳ ରେ ପହଞ୍ଚି ହାମ ରେଡିଓ ସେବା ପ୍ରଦାନ କରିବାରେ ନିଜକୁ ନିୟୋଜିତ କରିଥାନ୍ତି l ମିଶ୍ର ଏହା ପୂର୍ବରୁ ଛାତ୍ର ଜୀବନରେ ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରପତି ସ୍କାଉଟ ପୁରସ୍କୃତ ହୋଇଛନ୍ତି l ମିଶ୍ରଙ୍କ ଏହି ସଫଳତାରେ ଜିଲ୍ଲା ସ୍କାଉଟ ଓ ଗାଇଡ୍ସର ସମସ୍ତ ସଦସ୍ୟ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
Related Stories
November 24, 2024
November 24, 2024