କେନ୍ଦୁଝର,ଭିନ୍ନକ୍ଷମ ଶରତ ନାଇକଙ୍କ ପାଇଁ ସରକାରୀ ସହାୟତା ସାତସପନ ପାଲଟିଥିବା ଅଭିଯୋଗ ହୋଇଛି । ସରକାର ଆଦିବାସୀ ମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଉଥିବା ନେଇ ଡେଙ୍ଗୁରା ପିଟୁଥିବା ବେଳେ ପ୍ରକୃତ ପକ୍ଷରେ ଏହାର ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଳକ ଅନ୍ତର୍ଗତ ତରତରା ପଂଚାୟତର ବାହିଆବାରଦଣ୍ଡା (ପଣସଡିହା) ଗ୍ରାମର ୩୫ ବର୍ଷିୟ ଆଦିବାସୀ ଯୁବକ ମଙ୍ଗରାଜ ନାଇକଙ୍କ ପୁଅ ଶରତ ନାଇକଙ୍କ କ୍ଷେତ୍ରରେ ।
ଆଜକୁ ୩ ବର୍ଷ ପୂର୍ବରୁ ଶରତ ଏକ ଅଟୋ ଦୁର୍ଘଟଣାରେ ଗୁରୁତର ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଯାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଶରତଙ୍କୁ ନା ମିଳିଛି ତିନି ଚକିଆ ସାଇକେଲ, ନା ଭିନ୍ନକ୍ଷମ ପ୍ରମାଣ ପତ୍ର । ସେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଯାଏଁ ତାଙ୍କୁ ଭିନ୍ନକ୍ଷମ ଭତା ମିଳିପାରିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ପାଲଟିଛି । ଶରତ ଅନ୍ତୋଦୟ ଅନ୍ନ ଯୋଜନାରୁ ମଧ୍ୟ ବଂଚିତ ହୋଇଛନ୍ତି । ଏହି ଭିନ୍ନକ୍ଷମ ଯୁବକଙ୍କୁ ଥଇଥାନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆନନ୍ଦପୁର ଓ ଉପଖଣ୍ଡ ପ୍ରଶାସନ ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।