ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଜଇରାମପୁର ପଂଚାୟତରେ ମନରେଗା ଯୋଜନା ଅନୁଦାନ ଅର୍ଥ ବିନିଯୋଗରେ ନିର୍ମାଣ ହୋଇଥିବା ବେହେରା ସାହି ଠାରୁ ମଲ୍ଲ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୨୦୧୨-୧୩ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୪ ଲକ୍ଷ ୭୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ୱେବସାଇଟ୍ ରେ ପ୍ରଦର୍ଶିତ ହେଉଥିବା ବେଳେ ଉକ୍ତ ରାସ୍ତା ଆଦୌ ନିର୍ମାଣ ହୋଇନଥିବା ସ୍ଥାନୀୟ ଗ୍ରାମବାସୀମାନେ କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ ନ କରି ଉକ୍ତ ଅର୍ଥକୁ କିଏ ଆତ୍ମସାତ୍ କରିଛି ତାର ଏକ ବିଦ୍ଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହୋଇଛି ।
ଏହି ପଂଚାୟତର ୩ନଂ ୱାର୍ଡ ମଲ୍ଲ ସାହିକୁ କୌଣସି ସଂଯୋଗ ରାସ୍ତା ନାହିଁ । ଫଳରେ ଉକ୍ତ ସାହିକୁ ପାଇପ୍ ଦ୍ଵାରା ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍ ବିଛାଯାଇପାରୁନଥିବା ବେଳେ ଲୋକମାନେ ଯାତାୟତ କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଉକ୍ତ ରାସ୍ତା ନିର୍ମାଣ ପାଇଁ ଏକାଧିକ ଥର ସ୍ଥାନୀୟ ଲୋକମାନେ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କରୁଥିଲା ବେଳେ ସ୍ଵାଧିନତାର ୭୫ ବର୍ଷ ପରେ ମଧ୍ୟ ବେହେରା ସାହି ଠାରୁ ମଲ୍ଲ ସାହି ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇପାରିନଥିବାରୁ ଜନସାଧାରଣରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇଛି । ବର୍ତମାନ ଏହି ରାସ୍ତାକୁ କିଛି ଲୋକ ଜବରଦଖଲ କରି ଘର ନିର୍ମାଣ କରିବା ଓ ମାଛ ପୋଖରୀ ଖୋଳିଦେବା ଯୋଗୁଁ ଏହା ଯାତାୟତ ଉପଯୋଗୀ ହୋଇପାରୁନାହିଁ । ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ ଇସାଣୀବରହମ୍ ପୁର ପଂଚାୟତରେ ମହାନଦୀ ତଟୋତ୍ସବ ବାହାନାରେ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ପଡିଆରେ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଥିଲା ବେଳେ ରାସ୍ତାରେ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ ହୋଇଛି । ବହୁ ପଞ୍ଚାୟତରେ ଲୋକେ କାମ ପାଉନଥିଲା ବେଳେ ଏସବୁ ପଂଚାୟତରେ ମେସିନ୍ ରେ କାମ ହେବା କେତେଦୂର ସମୀଚିନ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କଟକ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ନିଶ୍ଚିନ୍ତକୋଇଲି, ସାଲେପୁର ଓ ମାହାଙ୍ଗା ବ୍ଲକରେ ହୋଇଥିବା ଦୁର୍ନିତି ସଂପର୍କରେ ତଦନ୍ତ କଲେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବା ସହ ବିଭାଗୀୟ କର୍ମଚାରୀ ଓ ରାଜନୈତିକ କର୍ମୀଙ୍କର ପ୍ରକୃତ ଚେହେରା ପଦାକୁ ଆସିପାରନ୍ତା ବୋଲି ଦିଲ୍ଲୀପ କୁମାର ମଲ୍ଲ, ସରୋଜ କୁମାର ମଲ୍ଲ, ଗିରିଜା ମଲ୍ଲ, ହୃଷିକେଶ ମଲ୍ଲ, ପ୍ରମିଳା ମଲ୍ଲଙ୍କ ସମେତ ଗ୍ରାମବାସୀ ମାନେ ପ୍ରକଳ୍ପ ନିର୍ଦ୍ଦେଶ ଓ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।