ମାଲକାନଗିରି, ମାଲକାନଗିରି ଜିଲ୍ଲାର ଗୀତିକାରଙ୍କ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ। ଓଡ଼ିଶାର ସୁନାମ ଧନ୍ୟ ଗାୟକ ମଣ୍ଟୁ ଛୁରିଆ ଓ ଗୀତିକାର ଅକ୍ଷୟ କୁମାର ସିମୁଳିଆଙ୍କ ନାମରେ ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଗୀତିକାର ହାଡୁ।
ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ସମୟରେ “ଆମର ଜିଲ୍ଲା ମାଲକାନଗିରି, ମାଲ୍ୟବନ୍ତ ଗିରି ” ଗୀତ ଲେଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଲ୍ଲାର ହାଡୁ ତଳିଆ। ସେ ଆହୁରି ଅନେକ ଗୀତ ମଧ୍ୟ ଲେଖିଛନ୍ତି। ଏବେ ହାଡୁ ନିଜ ଗୀତ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ହାଡୁଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୦୨୨ ଅକ୍ଟୋବର ମାସରେ କୋରାପୁଟ ଜିଲ୍ଲାର ଗୀତିକାର ଅକ୍ଷୟ କୁମାର ସିମୁଳିଆ ହାଡୁଙ୍କୁ ଏକ ଗୀତ ଲେଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଗୀତ ରିଲିଜ୍ ହେବା ପରେ ଉଭୟଙ୍କ ନାମରେ ରିଲିଜ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହାକୁ ନେଇ ” ଝିଲକୀ ଝିପା ନନୀ ” କୋରାପୁଟିଆ ଆଦିବାସୀ ଗୀତଟିର ରଚନା କରିଥିଲେ ହାଡୁ । ” ସୁର ଭାଇବ୍ରେସନ ” ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ରିଲିଜ ହେଲା ଓ ଗୀତକୁ ଗାଇଛନ୍ତି ଓଡ଼ିଶାର ଦୁଇ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଜୟଶ୍ରୀ ଧଳ । କିନ୍ତୁ, ଗୀତ ଲେଖିବା ବାବଦକୁ କୌଣସି ପାଉଣା ମିଳିବାତ ଦୂରର କଥା, ଗୀତ ରିଲିଜ ହେବାପରେ ହାଡୁଙ୍କ ନାମ ଦିଆନଯାଇ ଗୀତିକାର ଅକ୍ଷୟ କୁମାର ସିମୁଳିଆ ନିଜ ନାମକୁ ଦେଇଥିବା ହାଡୁ ଅଭିଯୋଗ କରିଛନ୍ତି । ତାଙ୍କ ନାମକୁ ବାଦ ଦେଲେ ତାଙ୍କ ଗୀତଟିକୁ କିପରି ରିଲିଜ କରାଗଲା, ଏହା ଚୋରି ସହ ସମାନ ବୋଲି ହାଡୁ କ୍ଷୋଭ ପ୍ରକାଶ କରିବା ସହ ଗଣମାଧ୍ୟମ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ହାଡୁ ତଳିଆ ବସବାସ କରୁଥିବା ବେଳେ ସେ ପେସାରେ ଜଣେ ସିକ୍ୟୁରିଟି ଗାର୍ଡ । ପେସାକୁ ବଞ୍ଚାଇବା ସହ ନିଜ ଗୀତ ଲେଖିବା ନିଶାକୁ କେବେ ଅଲଗା ଦେଖିନାହାଁନ୍ତି ହାଡୁ । କିନ୍ତୁ, ବର୍ତ୍ତମାନ “ଝିଲିକି ଝିପା ନାନୀ” ଗୀତକୁ ନେଇ ସେ ଏବେ ଭାଙ୍ଗି ପଡିଛନ୍ତି । ପାଉଣା ନଦେଲେ ଚଳିବ, କିନ୍ତୁ ଲେଖିଥିବା ଗୀତକୁ ତାଙ୍କ ନାମ ଦେଇଥିଲେ କାହାର କଣ ହୋଇଯାଇଥାନ୍ତା ବୋଲି କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ଗୀତିକାର ହାଡୁ ତଳିଆ । ତେବେ ଏନେଇ ହାଡୁ ଆହୁରି ମଧ୍ୟ କହିଛନ୍ତି ଯେ, ଗୀତ ଚୋରି ହେଲା ସତ, କିନ୍ତୁ ମୋ କଳାକୁ କେହି ଚୋରି କରିନେଇ ପାରିବେନି । ଗୀତ ରିଲିଜ୍ ପରେ ହାଡୁ ଗାୟିକା ଜୟଶ୍ରୀ ଧଳଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ହେଲେ କିଛି ସୁଫଳ ନମିଳିବାରୁ ସେ ନିରବ ରହିଗଲେ ବୋଲି ପ୍ରକାଶ କରିଛନ୍ତି । ତେବେ ପ୍ରକୃତରେ ଏହି ଗୀତ ଚୋରୀ ହୋଇଛି ନା ହାଡୁଙ୍କ ଅଭିଯୋଗ ପଛରେ ଆଉକିଛି କଥା ରହିଛି ତାହା ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ।