
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଓଡ଼ିଶାର ଜଣା ଶୁଣା ବରିଷ୍ଠ ଶାମୁକା ଶିଳ୍ପୀ ଗୁରୁ ରଘୁନାଥ ମହାପାତ୍ରଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଛି।ଶାମୁକା ଶିଳ୍ପ କୁ ଓଡ଼ିଶାରେ ପରିଚିତ କରାଇବାରେ ସ୍ବର୍ଗତ ମହାପାତ୍ର ପ୍ରଥମ ବ୍ୟକ୍ତି ଅଟନ୍ତି।ବିଶେଷ ଭାବରେ ପୁରୀ ରେ ବିଭିନ୍ନ ଦୋକାନ ଓ ସମୁଦ୍ର କୂଳରେ ଶାମୁକା କୁ ଏକ ବ୍ୟବସାୟରେ ପରିବର୍ତ୍ତନ କରି ଅନେକ ଲୋକଙ୍କ ଜୀବନ ଜୀବିକାର ରାହା ଦେଖାଇଥିଲେ ସ୍ବର୍ଗତ ମହାପାତ୍ର।ତାଙ୍କ ଅନେକ ଛାତ୍ର ଛାତ୍ରୀ ଆଜି ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି।ନିଜର ନିଖୁଣ କାରିଗରୀ ପାଇଁ ଶ୍ରୀ ମହାପାତ୍ର ୧୯୮୫ରେ ରାଜ୍ୟ ପୁରସ୍କାର ୧୯୯୩ରେ ମସିହାରେ ରାଷ୍ଟ୍ରପତି ପୁରସ୍କାର ଓ ୨୦୧୭ ରେ ରାଜ୍ୟ ସରକାରଙ୍କ ଦ୍ଵାରା ଜୀବନ ବ୍ୟାପି ସାଧନା ପାଇଁ ଲାଇଫ ଟାଇମ୍ ଆଚିଭ ମେଣ୍ଟ ପୁରସ୍କାର ରେ ସମ୍ମାନିତ ହୋଇଥିଲେ।ସେହିପରି ୧୯୭୯ ରୁ ୨୦୦୧ ପର୍ଯ୍ୟନ୍ତ ଓଡ଼ିଶା ହସ୍ତ୍ ଶିଳ୍ପ ବିଭାଗର ବରିଷ୍ଠ ଉପଦେଷ୍ଟା ଭାବରେ ସେ କାର୍ଯ୍ୟ କରିଥିଲେ।ଏହା ସହିତ ଜଣେ ସଂସ୍କୃତି ପ୍ରେମୀ ଭାବରେ ମଧ୍ୟ ସେ ପୁରୀ ସହର ରେ ବେଶ ପରିଚିତ ଥିଲେ। ସାହିଯାତ୍ରା ର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ହରିୟାଣା,ଦିଲ୍ଲୀ,କଲିକତା ଭଳି ଅନେକ ସହର ରେ ରାବଣ ନୃତ୍ୟ ପରିବେଷଣ କରି ବେଶ ପ୍ରଶଂସିତ ହୋଇଥିଲେ। ତାଙ୍କ ଦେହାନ୍ତ ଖବର ପାଇ ତାଙ୍କର ଅନେକ ଛାତ୍ର ଛାତ୍ରୀ,ବରିଷ୍ଠ ପଦାଧିକାରୀ ,ପୁରୀ ର ବିଭିନ୍ନ ଜାଗା ଆଖଡ଼ା ସଂପାଦକ ଓ ସଭାପତି ତାଙ୍କ ପୁରୀ ଅମଲା କ୍ଳବ୍ ସ୍ଥିତ ବାସଭବନ୍ ରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ ।ବିଳମ୍ବିତ ରାତିରେ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।ତାଙ୍କ ବଡ ପୁଅ ପ୍ରଦୀପ୍ତ କୁମାର ମହାପାତ୍ର ମୁଖଗ୍ନି ଦେଇଥିଲେ।ସ୍ବର୍ଗ ଦ୍ବାର ଠାରେ ସ୍ଵର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାୟ,ପୁରୀ ର ପୂର୍ବତନ ନଗର ପାଳ ତଥା ପୁରୀ ସାସଦଙ୍କ ପ୍ରତିନିଧି ଗୌର ହରି ପ୍ରଧାନ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ମାଲ୍ୟାର୍ପଣ ପୂର୍ବକ ଶ୍ରଧାକୁସୁମ ଅର୍ପଣ କରିଥିଲେ ।ସୂଚନା ଯୋଗ୍ୟ ଯେ ସ୍ବର୍ଗତ ମହାପାତ୍ରଙ୍କ ତୃତୀୟ ସନ୍ତାନ ଶ୍ରୀ ଜଗନ୍ନାଥ ମହାପାତ୍ର ମଧ୍ୟ ଶାମୁକା ଶିଳ୍ପୀ ଭାବରେ ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିବା ସହିତ ରାଷ୍ଟ୍ରପତି ସମ୍ମାନ ଲାଭ କରିଛନ୍ତି।