ଘଟଗାଁ, ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ପରମ୍ପରା ଅନୁଯାୟୀ ଏହି ଦିନ ଠାରୁ ଓଡ଼ିଆ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହି ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ ପୀଠ ଚଳଚଂଚଳ ହୋଇ ଉଠିଛି । ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ଖୁବ୍ ଧୁମ୍ ଧାମରେ ପାଳନ ହେଉଛି । ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପାଳିତ ହେଉଛି ମାଙ୍କ ଏହି ଚଇତି ପର୍ବ । ସାତ ଦିନ ବ୍ୟାପୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ । ଚଇତି ପର୍ବ ମା’ ତାରିଣୀଙ୍କ ଅନ୍ୟତମ ଶ୍ରେଷ୍ଠ ପର୍ବ । ଆଜି ଚଇତି ପର୍ବର ଷଷ୍ଠ ଦିବସରେ ଭୋର୍ ୩ଟାରୁ ମା’ ତାରିଣୀଙ୍କୁ ବିଶେଷ ପୂଜା ନୀତି ସହ ମାର୍ଜନା, ମଙ୍ଗଳ ଆଳତି, ସ୍ନାନ, ମହାସ୍ନାନ, ବଡ଼ସିଂହାର ବେଶ, ଷୋଡଶ ଉପଚାରରେ ପୂଜା, ଭାଗବତ ପାରାୟଣ ସହ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ ତାରିଣୀଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ମାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ପାଇଁ ଆଜି ଭୋର୍ ୫ଟା ଠାରୁ ଦ୍ଵାର ଖୋଲିଥିଲା । ମହା ବିଷୁବ ସଂକ୍ରାନ୍ତି ଦିନ ମା’ଙ୍କୁ ସୁନାବେଶରେ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି । ମାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାରେ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ୨ପ୍ଲାଟୁନ ଫୋର୍ସ, ୨୦ ଜଣ ଅଫିସର, ୫୦ ଜଣ ହୋମଗାର୍ଡ ଓ ୪୦ ଜଣ ପୂଜକ ନିୟୋଜିତ ହୋଇଥିବା ଜଣାପଡିଛି ।
ମନ୍ଦିର ପରିସର ସାଂସ୍କୃତିକ ମଣ୍ଡପରେ ଦିନ ତମାମ ଅଖଣ୍ଡ ଭଜନ ସମାରୋହ ପରିବେଷଣ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଭୁବନେଶ୍ଵର ଅଂଚଳର ପ୍ରବଚକ ପ୍ରମୋଦ କୁମାର ପୃଷ୍ଟି ପ୍ରବଚନ ଦେବେ । ଏଥି ସହିତ ରାତ୍ର ସମୟରେ କଟକ ଜିଲ୍ଲା ମାନପୁର ଅଂଚଳର ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତା ଓ କଟକ ଜିଲ୍ଲା ଇଚ୍ଛାପୁର ଅଂଚଳର ଗାୟକ ଜ୍ଞାନ ବାରିଧି ଭାସ୍କର ଚନ୍ଦ୍ର ସାହୁଙ୍କ ମଧ୍ୟରେ ବାଦି ପାଲା ଅନୁଷ୍ଠିତ ହେବ । ଚଳିତ ବର୍ଷ ମା’ଙ୍କ ଏହି ପର୍ବକୁ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି । ମା’ ତାରିଣୀ ସେବା ସମିତି କେନ୍ଦୁଝର ଓ ଝାରସୁଗୁଡ଼ା ଅଂଚଳର ସନ୍ଧ୍ୟାରାଣୀ ପୃଷ୍ଟି ପରିବାର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ବଂଟନ କରାଯାଇଥିଲା । ଏଥି ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତରଭୁଜ, ଥଣ୍ଡା ପାନୀୟ ଜଳ, ସହ ଅନ୍ନପ୍ରସାଦ ବଂଟନ କରାଯାଇଥିଲା । ଭକ୍ତଙ୍କ ଶାନ୍ତିଶୃଙ୍ଖଳାରେ ଦର୍ଶନ, ମନ୍ଦିରର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।