ନୂଆଦିଲ୍ଲୀ- ବିଗତ ତିନି ବର୍ଷ ଅର୍ଥାତ ୨୦୧୬ରୁ ୨୦୧୮ ମଧ୍ୟରେ ପାକିସ୍ତାନରୁ ୧୫୯୫ ଓ ଆଫଗାନିସ୍ତାନରୁ ପ୍ରବାସନ ହୋଇଥିବା ୩୯୧ଜଣ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି । ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ୨୦୧୯ ଡିସେମ୍ବର ୬ ତାରିଖ ସୁଦ୍ଧା ୪୦ ଆଫଗାନୀ ଓ ୭୧୨ ପାକିସ୍ତାନୀ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି ।
ଶ୍ରୀ ରାୟ ଉଲ୍ଲେଖ କରିଥିଲେ ଯେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଯଥା-ଶିଖ, ହିନ୍ଦୁ, ବୌଦ୍ଧ, ଜୈନ, ପାର୍ସୀ ଖ୍ରୀଷ୍ଟିଆନ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ସହ ଏହି ତଥ୍ୟକୁ ଅନଲାଇନରେ ରଖିବା ଲାଗି ୨୦୧୮ରେ ବ୍ୟବସ୍ଥା କରାଯାଇଥିଲା । ସେବେଠାରୁ ଆଫଗାନିସ୍ତାନ ଓ ପାକିସ୍ତାନର ୯୨୭ ଶିଖ ଓ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇସାରିଛି ।