ବଲାଙ୍ଗିର, ଆଜି ଜିଲ୍ଲା ସ୍ତରୀୟ ବି.ଆର୍. ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୮ ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ହୋଇଥିଲା। ଜିଲ୍ଲାପାଳ ଚଞ୍ଚଲ୍ ରାଣା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ମହେନ୍ଦ୍ର କୁମାର ମହାପାତ୍ର, ପିଡି ଡିଆରଡିଏ ସୁଶାନ୍ତ ସିଂ, ଉପଜିଲ୍ଲାପାଳ କୁମାର ନାଗଭୂଷଣ ପ୍ରମୁଖଙ୍କ ଉପସ୍ଥିତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଦିନ ୧୦ଟାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପିପି ଏକାଡେମୀ ସଭାଗୃହରେ ଜିଲ୍ଲାସ୍ତରୀୟ ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ମହେନ୍ଦ୍ର କୁମାର ମହାପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପ୍ରାଧ୍ୟାପକ ଡ. ମନୋଜ କୁମାର ନାଗ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଓ ପିପି ଏକାଡେମୀର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀ ମଞ୍ଚାସୀନ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥିମାନେ ଡ. ବି. ଆର୍. ଆମ୍ବେଦକରଙ୍କ ଜୀବନାଦର୍ଶ ଏବଂ ତାଙ୍କ ମହାନ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ଆଜି ଅନୁଷ୍ଠିତ ହୋଇଥିବା ବକୃତା ପ୍ରତିଯୋଗିତାରେ ବିଚାରକ ଭାବେ ସାହିତ୍ୟିକ ସନାତନ ଠାକୁର, ଅଧ୍ୟାପକ ଅଶୋକ କୁମାର ପଣ୍ଡା ଏବଂ ‘କୋଶଳ ପ୍ରବାହ’ର ସମ୍ପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ସ୍ତରରେ ବକୃତା ପ୍ରତିଯୋଗିତାରେ ପ୍ରତିଶ୍ରୁତି ନାୟକ, ଆର୍ୟନ ରାଉତ ଓ ଶୁଭେଚ୍ଛା ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଶ୍ଵେତା ପରିମିତା ପଟେଲ, କ୍ରିଷ୍ଣାରାଜ ରଥ ଓ ସନ୍ଧ୍ୟାରାଣୀ ପଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ ।