ଭୁବନେଶ୍ୱର, ଭୁବନେଶ୍ୱର ରେଳବାଇ ଅଡିଟରିୟମ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଙ୍କ ପ୍ରତିନିଧି ଭାବରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ରୋଜଗାର ମେଳାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୨୩୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ – ଯୁବଶକ୍ତି ହେଉଛନ୍ତି ଦେଶର ସବୁଠାରୁ ବଡ ବଳ । ଆଜି ରେଳ, ଡାକ, ଅର୍ଥ ବିଭାଗ ସହ ଆଇଆଇଟି ଭୁବନେଶ୍ୱର, ଇଏସଆଇସି, ନାଲକୋ, ଟେଲିକମ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍, ଏନଟିପିସି, ଏମ୍ସ ଭୁବନେଶ୍ୱରରେ ଏବଂ ଜିଏସଆଇରେ ଯୁବକ ଯୁବତୀମାନେ କାମ କରିବାର ସୁଯୋଗ ପାଇବା ଆନନ୍ଦର ବିଷୟ ।
ସେ କହିଛନ୍ତି ଯେ ନୂତନ ଜନ ସେବକ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଘରେ ରହି ଅଧିକ ନିଯୁକ୍ତି ସୃଷ୍ଟି କରିବା ହେଉଛି ମୋଦି ସରକାରଙ୍କ ବଡ ଯୋଜନା । ଏହି ନିଯୁକ୍ତି ପତ୍ର ଏକ ସ୍ୱାଭିମାନର ପତ୍ର-ଆତ୍ମନିର୍ଭର ହେବାର ପତ୍ର । ଏହା ଦ୍ୱାରା ଅନେକଙ୍କ ଜୀବନ ପରିବର୍ତ୍ତନ ହେବ ।
ସେ କହିଛନ୍ତି ଯେ ଦେଶରେ କେବଳ ସରକାରୀ ଚାକିରି ନୁହେଁ ବରଂ ରୋଜଗାରର ସୁଯୋଗ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଚଳିତବର୍ଷ ବଜେଟରେ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଇଛନ୍ତି । ମୋଦି ସରକାରଙ୍କ ନୀତି କାରଣରୁ ଓଡ଼ିଶା ଖଣି ରାଜସ୍ୱ ଆକାରରେ ୫୦ ହଜାର କୋଟି ଟଙ୍କା ପାଉଛି, ଯାହାର ପ୍ରତ୍ୟକ୍ଷ ଲାଭ ଓଡ଼ିଆ ଯୁବକ ଯୁବତୀଙ୍କୁ ମିଳୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ମୁହୂର୍ତ୍ତ ଭାରତର ମୁହୂର୍ତ୍ତ । ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରାଇବା ପାଇଁ ପଡିବ । ଓଡ଼ିଶାର ବିକାଶରେ ହିଁ ଦେଶର ବିକାଶ ହେବ । ୨୦୩୬ ରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ, ଯଦି ଯୁବଶକ୍ତି ଏହାର ପ୍ରବର୍ତ୍ତକ ହେବେ । ଏହା ଦ୍ୱାରା ଉଭୟ ସମାଜ ଓ ସ୍ୱଂୟର ସ୍ୱାର୍ଥ ପୂରଣ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସମାଜର ବିକାଶ ପାଇଁ ବଡ଼ ଭାବିବା ସହ ବଡ଼ ସ୍ୱପ୍ନ ଦେଖିବା ପାଇଁ ପଡିବ । ଓଡ଼ିଆ ଜାତୀୟତାର ପ୍ରତୀକ ମଧୁସୂଦନ ଦାସ ଓଡ଼ିଶାରେ ଶିଳ୍ପ ବିପ୍ଲବ ନେଇ କଳ୍ପନା କରିଥିଲେ । ଉତ୍କଳ ଟାନେରୀ ନିର୍ମାଣ ସହ ପ୍ରଦେଶର ତାରକସି କାମକୁ ବିଶ୍ୱ ଦରବାରରେ ପହଞ୍ଚାଇଥିଲେ । ଏଥିପାଇଁ ତାଙ୍କୁ କୁହାଯାଇଥିଲା ଶତାବ୍ଦୀର ସୂର୍ଯ୍ୟ
ସେ କହିଛନ୍ତି ଯେ ଆଜିର ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇ, ମଧୁବାବୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରକୁ ଯୋଜନା ମାଧ୍ୟମରେ ସଫଳ କ୍ରିୟାନ୍ୱୟନ କରୁଛନ୍ତି ମୋଦି ସରକାର । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷାର ନୂଆ ପରିଭାଷା ତିଆରି ହୋଇଛି ।
ସେ କହିଛନ୍ତି ଯେ ଭାରତ ଜି-୨୦ର ପ୍ରେସିଡେନ୍ସି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଶ୍ୱର ଗ୍ଲୋବାଲ ସାଉଥ ନାମରେ ନାମିତ ୧୩୬ଟି ଗରିବ ରାଷ୍ଟ୍ରର ନେତୃତ୍ୱଙ୍କୁ ଏକାଠି କରିବା ସହ ଜି-୨୦ ନେଇ ସେମାନଙ୍କର ମତ ଓ ପରାମର୍ଶ ନେଲେ । ଏହାର ନାଁ ହେଲା ବସୁଧୈବ କୁଟୁମ୍ବକମ୍
ସେ କହିଛନ୍ତି ଯେ ଓଡ଼ିଶାରେ ଚଳିତ ମାସରେ ଜି-୨୦ ଶିକ୍ଷା ବିଭାଗର ୱାର୍କିଂ ଗ୍ରୁପ ବୈଠକ ହେବ । ଶିକ୍ଷା ସହ ବିଶ୍ୱରେ ଆଗାମୀ ୧୦୦ ବର୍ଷରେ ରୋଜଗାରର କଳ୍ପନା କଣ ହେବ ଏବଂ ଭବିଷ୍ୟତର ରୂପରେଖ କଣ ରହିବ, ତାହା ଉପରେ ଚର୍ଚ୍ଚା ଆଲୋଚନା କରାଯିବ । ବର୍ତ୍ତମାନ ସମୟରେ ଏହି ରୋଜଗାର ମେଳା ଏକ ନୂଆ ଉତପ୍ରେରକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ସେ କହିଛନ୍ତି ।