-
ଜବତ ହାଡ଼ ଓ ସାମଗ୍ରୀ ନିଖୋଜ ମିଟୁ ବେହେରାଙ୍କର ବୋଲି ସନ୍ଦେହ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମ ନିକଟସ୍ଥ ମଥାଖୋଲ ପାହାଡ଼ ପାଦ ଦେଶରୁ ପୋଲିସ ଆଜି ଏକ ମଣିଷ ଗୋଡ଼ର ହାଡ଼ ଜବତ କରିଛି । ଘଟଣାସ୍ଥଳରୁ ଏକ ମୋବାଇଲ୍, ପ୍ୟାଂଟ ସାର୍ଟ, ଚପଲ ଏବଂ ପରିଚୟପତ୍ର ମଧ୍ୟ ଜବତ ହୋଇଛି । ପରିଚୟପତ୍ରରୁ ଜବତ ସାମଗ୍ରୀ ଟିପିଏସଓଡିଏଲର କର୍ମଚାରୀ ମିଟୁ ବେହେରାଙ୍କର ବୋଲି ଜଣାପଡିଛି ।
ମିଟୁ ଗତ ବର୍ଷ ମଇ ୩୦ ତାରିଖରୁ ନିଖୋଜ ଥିଲେ । ବର୍ତମାନ ସୁଦ୍ଧା ତାଙ୍କର କୌଣସି ପତା ମିଳୁନଥିଲା । ତେବେ ଘଟଣାର ୧୦ ମାସ ପରେ ତାଙ୍କର ପରିଚୟପତ୍ର ମଥାଖୋଲ ପାହାଡ଼ ପାଦ ଦେଶରୁ ମିଳିଛି । ସେଠାରୁ ମିଳିଥିବା ଗୋଡ଼ର ହାଡ଼ ମିଟୁଙ୍କର ବୋଲି ପୋଲିସ ଅନୁମାନ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ କେସ୍ ନଂ ୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ସାଇଂଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଟୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ଉଠିଛି । ତେବେ ଜବତ ହାଡ଼ ମିଟୁଙ୍କର ବୋଲି ପ୍ରମାଣିତ କରିବା ପାଇଁ ପୋଲିସ ଡିଏନଏ ଟେଷ୍ଟ କରିବ ବୋଲି ସୂଚନା ମିଳିଛି ।