-
ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ,
ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଡିଟୋରିୟମ୍ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଭେଷଜ ବିଜ୍ଞାନ ଶିକ୍ଷା ନିର୍ଦ୍ଦେଶକ (ଡି.ଏମ୍.ଇ.ଟି) ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବିରଂଚି ନାରାୟଣ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମାୟା ପାଢ଼ୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା କ୍ରମେ ବିଗତ ୧ ବର୍ଷ ମଧ୍ୟରେ କଲେଜର ଉନ୍ନତି କଳ୍ପେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ସାଂପ୍ରତିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସୁପରିଣ୍ଟେଣ୍ଡେଟ୍ ପ୍ରଫେସର କୌଶିକ ମିଶ୍ର ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଚିକିତ୍ସା କ୍ଷେତ୍ରରେ ବିଗତ ବର୍ଷରେ ହାସଲ କରାଯାଇଥିବା ଲକ୍ଷ୍ୟ ଓ ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ ।
ନିଜର ଅଭିଭାଷଣରେ ସମ୍ମାନୀତ ଅତିଥି ପ୍ରଫେସର ମହାପାତ୍ର କଲେଜ ପ୍ରତିଷ୍ଠା ସମୟର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ମୃତି ଚାରଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜଙ୍କ ସମେତ ଅନେକ ଗୁରୁ, ବିଦ୍ଵାନ, ପ୍ରଶାସନିକ ଅଧୀକାରୀ ସର୍ବୋପରି ରାଜ୍ୟ ସରକାରଙ୍କ ଶୁଭେଚ୍ଛା ଓ ଆନ୍ତରିକତା ଯୋଗୁଁ ପବିତ୍ର ଶ୍ରୀକ୍ଷେତ୍ରରେ ଏହି ବିରାଟ ଅନୁଷ୍ଠାନ ପ୍ରତିଷ୍ଠିତ ଓ କାର୍ଯ୍ୟକ୍ଷମ ହୋଇପାରିଥିବା ପ୍ରକାଶ କରିଥିଲେ। ସେହିପରି, ମୁଖ୍ୟ ଅତିଥି ତଥା ଡି.ଏମ୍.ଇ.ଟି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳତାର ମନ୍ତ୍ର ସମ୍ପର୍କରେ ଉପଦେଶ ଦେବା ସହ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଯୋଗୁଁ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିବା ପ୍ରକାଶ କରିଥିଲେ । କଲେଜର ବିଭିନ୍ନ ଆବଶ୍ୟକତା ପୂରଣ ଓ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ପ୍ରତିଶୃତି ଦେଇଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ
କଲେଜର ଉପାଧ୍ୟକ୍ଷ ପ୍ରଫେସର ଲଲାଟେନ୍ଦୁ ସ୍ଵାଇଁ । ଏହି ଅବସରରେ ନବଗଠିତ ଛାତ୍ରସଂସଦର ମନୋନୀତ ୩୭ ଜଣ ପ୍ରତିନିଧିଙ୍କୁ ଡି.ଏମ୍.ଇ.ଟି ପ୍ରଫେସର ମହାନ୍ତି ଶପଥ ପାଠ କରାଇବା ସହ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କଲେଜର ପ୍ରଶାସନିକ ଅଧିକାରୀ ମିସ୍ ଇନ୍ଦିରା ସାହୁ, ବିତ ବିଭାଗ ଅଧିକାରୀ ପ୍ରିୟ ରଞ୍ଜନ ଦାଶ, ଡା. ଅମରେନ୍ଦ୍ର ନାୟକ, ଗୋପାଳ ଚନ୍ଦ୍ର ସେଠୀ, ସଙ୍ଗୀତା ଦାସ, ପ୍ରସନ୍ନ ପ୍ରଧାନ, ଦୁଃଖ୍ୟାଶ୍ୟାମ ପଟ୍ଟନାୟକ, କଳ୍ପତରୁ ମିଶ୍ରଙ୍କ ନେତୃତ୍ଵରେ ଛାତ୍ର ସଂସଦ ସଭାପତି ସତ୍ୟପ୍ରିୟ ପଣ୍ଡା, ଉପ ସଭାପତି ରାଧାବଲ୍ଲଭ ବେହେରା, ସମ୍ପାଦକ ଶୁଭମ୍ ଶର୍ମା, ଦିବାଂଶୁ ଲେଙ୍କାଙ୍କ ସମେତ ସମସ୍ତ ଛାତ୍ର ପ୍ରତିନିଧି ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗୀତା କରିଥିବା ବେଳେ ସମସ୍ତ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଗତ ୨୦୧୫ ମସିହା ଜୁଲାଇ ୪ ତାରିଖରେ ପୁରୀ ସଦର ତହସିଲର ମୌଜା ସମଙ୍ଗରା ଠାରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୨୦୨୨ ମସିହା ଅପ୍ରେଲ ୧୧ ତାରିଖରେ ମୂଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ । ତେଣୁ ପ୍ରତିବର୍ଷ ଅପ୍ରେଲ ୧୧ ତାରିଖରେ କଲେଜର ପ୍ରତିଷ୍ଠା ଦିବସ ପାଳନ ପାଇଁ ଗତ କଲେଜ କାଉନସିଲ ବୈଠକରେ ନିଷ୍ପତି ନିଆଯାଇଥିଲା । ପ୍ରାୟ ଏ୨୫.୬ଡି. ଜମି ଉପରେ ଏହି କଲେଜ ନିର୍ମାଣ କରାଯାଇଥିବା ବେଳେ ଏବେ ଦୁଇଟି ବ୍ୟାଚ୍ ରେ ୧୯୯ ଜଣ ଛାତ୍ରଛାତ୍ରୀ ଏମ୍. ବି. ବି. ଏସ୍ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି । ସେହିପରି ଆଉ ଏ ୮.୦୦ ଡି ଜମିରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ନିର୍ମାଣ କରାଯାଉଛି । ଅବିଭକ୍ତ ପୁରୀ ଜିଲ୍ଲାରେ ଏହି କଲେଜ ଡାକ୍ତରୀ ଶିକ୍ଷାର ପ୍ରସାର ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ନୂଆ ଚିକିତ୍ସାଳୟ ଜିଲ୍ଲାବାସୀଙ୍କ ଆବଶ୍ୟକତା ପୂରଣ କରିବ ବୋଲି ଆଶ କରାଯାଉଛି ।