ମାଲକାନଗିରି, ମାଲକାନଗିରି ଜିଲ୍ଲା ଉତ୍କଳ ସମ୍ମିଳନୀ ସଭାପତି ଡ଼ଃ. ରଞ୍ଜନ କୁମାର ସ୍ବାଇଁଙ୍କୁ ବ୍ରହ୍ମପୁର ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ସେଣ୍ଟରରେ ଗଞ୍ଜାମ ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖାର ବାର୍ଷିକ ଅଧିବେଶନ ଓ ରାଷ୍ଟ୍ରୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ ସଭାପତି ଡ଼ଃ. ଆଦିତ୍ୟ କୁମାର ସାହୁ, ସଭାପତି ସୁବ୍ରତ କୁମାର ସାହୁ, କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଡ଼ଃ. କୁଳମଣି ଓଝା, ବର୍ଷିୟାନ ଲେଖକ ତ୍ରିନାଥ ନାୟକ ଡ଼ଃ. ସ୍ବାଇଁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ। ମାଲକାନଗିରି ଭଳି ଏକ ଉପାନ୍ତ ବିଛିନ୍ନାଚଳରେ ବସବାସ କରୁଥିବା ଓଡ଼ିଆ ମାନଙ୍କୁ ଏକତ୍ରିତ କରିବା ସହିତ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ଓଡ଼ିଆ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଟା କରୁଥିବାରୁ ରାଜ୍ୟସ୍ତରୀୟ ସମ୍ମିଳନୀରେ ଡ଼ଃ. ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଏବଂ ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖାର ସଭ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହିବା ସହ ଅଭିନନ୍ଦନ ଜଣାଇଥିଲେ।