-
ସ୍ଵାସ୍ଥ୍ୟ, ପରିମଳ, ବିଦ୍ୟୁତ ଓ ରାସ୍ତାଘାଟ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ
ପୁରୀ,ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାଚଂଳ ରାଜସ୍ଵ ଆୟୁକ୍ତ ସୁରେଶ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥ କାଠ ଯୋଗାଣ, ରଥ ନିର୍ମାଣ, ରଥ ଦଉଡ଼ି ଯୋଗାଣ, ରଥଯାତ୍ରା ନୀତି ସମ୍ପାଦନ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ଆଇନ ଶୃଙ୍ଖଳା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏଥିସହ ପରିବହନ ବ୍ୟବସ୍ଥା, ରାସ୍ତାଘାଟ ଉନ୍ନତିକରଣ, ଶାନ୍ତିଶୃଙ୍ଖଳା ରକ୍ଷା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବିଶେଷ କରି ସ୍ଵାସ୍ଥ୍ୟ, ପରିମଳ, ବିଦ୍ୟୁତ ଓ ରାସ୍ତାଘାଟ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ପରିଲକ୍ଷିତ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଆରଡିସି ଓ ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ, କେନ୍ଦ୍ରାଚଂଳ ଆରକ୍ଷୀ ମହାନିର୍ଦ୍ଦେଶକ ନରସିଂହ ଭୋଳ, ଏସପି କେ. ବିଶାଲ ସିଂହ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗି, ସାଂସଦଙ୍କ ପ୍ରତିନିଧି ଗୌରହରି ପ୍ରଧାନ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଗଣ, ସେବାୟତ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜିବୀ ମାନେ ବୈଠକରେ ଉପସ୍ଥିତ ଥିଲେ ।