ହରିଚନ୍ଦନପୁର, ସତରେ ବିଧିର ବିଧାନ ବଡ ବିଚିତ୍ର । କଥାରେ ଅଛି ବିପଦ ଯେତେବେଳେ ଆସେ ଭାଇ, ବନ୍ଧୁ ଓ କୁଟୁମ୍ବକୁ ସାଙ୍ଗରେ ନେଇ ଆସେ । ଏହିଭଳି ଏକ ହୃଦୟ ବିତାରକ ଚିତ୍ର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ସବଷ୍ଟେସନ ସାହିର ୬୫ ବର୍ଷିଆ ନରେନ୍ଦ୍ର ପାତ୍ରଙ୍କ ପରିବାରରେ ଦେଖିବାକୁ ମିଳିଛି । ଯେଉଁ ବୟସରେ ବାପା ପୁଅମାନଙ୍କ କାନ୍ଧରେ ବୋଝ ହେବା କଥା ତାହା ତ ହେଲାନାହିଁ କିନ୍ତୁ ପରିଣତ ବୟସରେ ୬ ମାସ ଭିତରେ ତିନି ତିନୋଟି ଭେଣ୍ଡିଆ ପୁଅକୁ ହରାଇ ବେସାହରା ହୋଇଯାଇଛନ୍ତି ନରେନ୍ଦ୍ର । ଏବେ ୩ ଜଣ ନାତି ନାତୁଣୀ ଓ ବିଧବା ବୋହୂକୁ ମିଶାଇ ୫ ପ୍ରାଣୀ କୁଟୁମ୍ବଙ୍କ ବୋଝ ଲଦି ହୋଇ ପଡିଛି ତାଙ୍କ ମୁଣ୍ଡରେ । ଚିନ୍ତାରେ ନରେନ୍ଦ୍ର, ସୁଧକ୍ରିୟା କିପରି ହେବ ତାପରେ ଚଳିବୁ କିପରି । ଆଖିରୁ ଲୁହ ନିଗାଡ଼ି କାନ୍ଦି କହୁଛନ୍ତି ହେ ଭଗବାନ ମୋଭଳି ଦୁଃଖ ଆଉ କାହାରିକୁ ନଦିଅ ।
ଏ ହେଉଛନ୍ତି ୬୫ ବର୍ଷିୟ ନରେନ୍ଦ୍ର ପାତ୍ର । ଭଙ୍ଗା ଦଦରା ଘରେ ରହୁଛନ୍ତି । ସେ ଜଣେ ଗରିବ ଦିନ ମଜୁରିଆ । ତାଙ୍କର ତିନି ଜଣ ପୁଅଙ୍କ ମଧ୍ୟରୁ ବଡପୁଅ ବିବାହ କରିଥିଲେ ଓ ସାନ ଦୁଇପୁଅ ବିବାହ କରିନଥିବା ବେଳେ ୩ ଜଣ ନାତି ନାତୁଣୀଙ୍କୁ ନେଇ ବେଶ ହସ ଖୁସିରେ ସଂସାର ଚାଲିଥିଲା । ନରେନ୍ଦ୍ରଙ୍କ ସ୍ବପ୍ନ ଥିଲା ପରିଣତ ବୟସରେ ବେଶ୍ ହସଖୁସିରେ କଟିବ । ହେଲେ ବିଧିର ବିଧାନ ଥିଲା ପୁରା ଅଲଗା । ହଠାତ୍ ନରେନ୍ଦ୍ରଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଘୋଟି ଆସିଲା । ୬ ବର୍ଷ ପୂର୍ବରୁ ନରେନ୍ଦ୍ରଙ୍କ ପତ୍ନୀଙ୍କୁ ଅଜଣା ରୋଗ ଛଡାଇ ନେଇଥିଲା । ତଥାପି ନରେନ୍ଦ୍ର ଭାଙ୍ଗି ନଥିଲେ । କିନ୍ତୁ, ନିୟତିର ଖେଳଥିଲା ବଡ଼ ବିଚିତ୍ର । ୬ ମାସ ଭିତରେ ତିନି ତିନୋଟି ଭେଣ୍ଡିଆ ପୁଅଙ୍କୁ ହରାଇଥିଲେ । ପ୍ରଥମେ ୩୬ ବର୍ଷିୟ ଭେଣ୍ଡିଆ ପୁଅ କରୁଣାକର ପାତ୍ର ବାତ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାର ମାସ କେଇଟା ନପୂରୁଣୁ ମଝିଆଁ ପୁଅ ୩୮ ବର୍ଷିୟ ଅର୍ଜୁନ ପାତ୍ରର ଅଜଣା ରୋଗରେ ମୃତ୍ୟୁ ଘଟିଥିଲା । ସେତିକିରେ ନରେନ୍ଦ୍ରଙ୍କ ଦୁଃଖ ସରିନଥିଲା, ଆଖିରୁ ତାଙ୍କର ଲୁହ ନଶୁଖୁଣୁ ଶେଷରେ ୪୦ ବର୍ଷୀୟ ବଡପୁଅ ଭୀମ ପାତ୍ର କିଛିଦିନ ହେବ କିଡନୀ ରୋଗରେ ପୀଡ଼ିତ ହୋଇ ଗତ ମାର୍ଚ୍ଚ ମାସରେ ଆରପାରିକୁ ଚାଲିଗଲା । ଜନ୍ନଦାତା ବୃଦ୍ଧ ବାପା କାନ୍ଧରେ ଏକବର୍ଷ ଭିତରେ ଗୋଟି ଗୋଟି ୩ ଜଣ ଭେଣ୍ଡିଆ ପୁଅଙ୍କ ମର ଶରୀରକୁ ବୋହି ନେଇ ଶଶ୍ମାନରେ ଦାହ କରିବା ତାହା ଠାରୁ ଦୁଃଖ ଆଉ କଣ ହୋଇପାରେ । ଯେଉଁ କାମ ପୁଅ କରିବା କଥା ସେ କାମ ଆଜି ବାପା କରିଛନ୍ତି ।
ନରେନ୍ଦ୍ର ବହୁତ ଗରିବ ଶ୍ରେଣୀର ଲୋକ । ପୁଅର ସୁଧକ୍ରିୟା କରିବା ପାଇଁ ତାଙ୍କ ପାଖରେ ଅର୍ଥର ଘୋର ଅଭାବ ଥିଲା। କେତେକ ସହୃଦୟ ବ୍ଯକ୍ତିଙ୍କ ଠାରୁ ଯାହା କିଛି ସ୍ବଳ୍ପ ଅର୍ଥ ମିଳିଛି ସେଥିରେ ସୁଧକ୍ରିୟା କରିଲେ । ଅଭାବ କାରଣରୁ ନରେନ୍ଦ୍ରଙ୍କୁ ମିଶାଇ ୫ ପରିବାରଙ୍କୁ ନେଇ କିପରି ଚଳିବେ ତାହା ସବୁଠାରୁ ଦୁଃଖ ଓ ପରିତାପର ବିଷୟ। ଏହା ହିଁ ନରେନ୍ଦ୍ରଙ୍କ ଦୁଃଖଦ ଭରା ବାସ୍ତବ ଚିତ୍ର। ଏ ଘଟଣାକୁ ନେଇ ଆମେ ଦୈତାରୀ ପଞ୍ଚାୟତର ଯୁବ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲୁ । ସେ ଆମକୁ କହିଛନ୍ତି ନରେନ୍ଦ୍ର ପାତ୍ର ଜଣେ ଗରିବ ଲୋକ । ତାଙ୍କ ପରିବାରର ଦୁଃଖଦ ଖବର ମୁଁ ପୂର୍ବରୁ ଜାଣିଛି । ମାସକୁ ମାସ ଚାଉଳ ଦେବାର ବ୍ଯବସ୍ଥା କରିଛି । ନିୟମ କାନୁନ୍ ଭିତରେ ସରକାରୀ ସୁବିଧା ସୁଯୋଗ ଯାହା ଅଛି ସବୁକିଛି ନରେନ୍ଦ୍ର ପାତ୍ରଙ୍କୁ ଯୋଗାଇ ଦିଆଯିବ ।