ପୁରୀ, ପୁରୀ ଜିଲ୍ଲାକୁ ହାଇଦ୍ରାବାଦ ସ୍ଥିତ ଇସିଆଇଏଲ କମ୍ପାନୀରୁ ସମ୍ପୂର୍ଣ୍ଣ ନୂଆ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଆସି ପହଞ୍ଚିଛି। ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମରେ ରଖାଯାଇଥିଲା। ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତରେ ଏହି ମେସିନ ଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରାରମ୍ଭରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଇଭିଏମ ଗୋଦାମ ଖୋଲାଯାଇଥିଲା।
ଏହି ଟେଷ୍ଟିଂ କାର୍ଯ୍ୟକୁ ପିକେଡିଏ ର ସମ୍ପାଦକ ଲଲାଟେନ୍ଦୁ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଓ ଓଡ଼ିଶା ପ୍ରଶାସନିକ ସେବାର ପ୍ରୋବେସନର ଅଧିକାରୀ ମାନଙ୍କ ତତ୍ଵାବଧାନରେ ୬୦ ଗୋଟି ଟିମ ମାଧ୍ୟମରେ କରାଯାଉଛି। ଇସିଆଇଏଲ ର ସେକ୍ସନ ଅଧିକାରୀ ପୱନ କୁମାର ଭଟ୍ଟର ସୁପରଭାଇଜିଂ ଅଧିକାରୀ ଭାବେ ଇସିଆଇଏଲ ପକ୍ଷରୁ ଯୋଗଦେଇ ମେସିନ ଗୁଡିକର କାର୍ଯ୍ୟଦକ୍ଷତା ଓ ସମସ୍ୟା ଥିଲେ ସମାଧାନ କରିବାକୁ ଉପସ୍ଥିତ ରହିଛନ୍ତି। ନୂଆ ମେସିନ ଆସିଲେ ତାହାର କାର୍ଯ୍ୟକାରିତା ଜାଣିବା ପାଇଁ ଟେଷ୍ଟିଂ କରାଯିବା ଏକ ନିୟମିତ ଓ ସ୍ଵାଭାବିକ ପ୍ରକ୍ରିୟା। ଟେଷ୍ଟିଂ ରେ ଯେଉଁ ମେସିନ ଗୁଡିକରେ ସମସ୍ୟା ଥିବ ତାହାକୁ ଇସିଆଇଏଲର ଇଞ୍ଜିନିୟର ମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ।