ବଲାଣି, ସୀମାନ୍ତ ବଲାଣି ଠାରେ କୁଡୁମୀ ସମାଜ ପକ୍ଷରୁ ପାରମ୍ପରିକ ଝୁମର କାର୍ଯ୍ୟକ୍ରମ ସ୍ଥାନୀୟ ଜେଏନଆରସି ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ବଡ଼ବିଲ ପୌରପାଳିକାର ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଯୋଗ ଦେଇଥିଲେ । ଉଭୟ ଅତିଥିଙ୍କୁ ସ୍ଥାନୀୟ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ଛକ ନିକଟରେ ଭବ୍ୟ ସ୍ଵାଗତ କରାଯିବା ସହିତ ବାଇକ ଶୋଭଯାତ୍ରାରେ ମାଉଣ୍ଟ ଗେଷ୍ଟ ହାଉସ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ବଲାଣି କୁଡୁମୀ ସମାଜ ପକ୍ଷରୁ ସ୍ଵାଗତ କରାଯିବା ସହିତ ପାରମ୍ପରିକ ନୃତ୍ୟ ସଙ୍ଗୀତର ସହିତ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ସେଠାରେ ଅତିଥି ବୃନ୍ଦ ସହିଦ ରଘୁନାଥ ମହତୋଙ୍କ ପ୍ରତିଛବିରେ ମଲ୍ୟାର୍ପଣ କରିଥିଲେ । ସଭା କାର୍ଯ୍ୟକ୍ରମରେ ବଲାଣି କୁଡୁମୀ ସମାଜର ଉପସଭାପତି କ୍ଷିତିଶ ମହାନ୍ତଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ବିଧାୟିକା ମିନାକ୍ଷୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଜିଲା କୁଡ଼ମି ସେନା ଉପସଭାପତି ଶୁଭେନ୍ଦୁ ମହାନ୍ତ ଓ ବରିଷ୍ଠ ଓକିଲ ତୁଳସୀ ରାମ ମହାନ୍ତ ଯୋଗ ଦେଇଥିଲେ । ସଭାରେ ବିଧାୟିକା ମିନାକ୍ଷୀ ମହାନ୍ତ ଓ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ କୁଡ଼ମି ସମାଜର ଇତିହାସ ଓ ବର୍ତ୍ତମାନ ସମୟରେ କୁଡ଼ମି ଜାତିର ଅସ୍ଥିତ୍ତ୍ଵ ସମ୍ବନ୍ଧରେ ନିଜ ନିଜ ମତ ପ୍ରକାଶ କରିଥିଲେ । ପରେ ମୟୁରଭଞ୍ଜ ଜିଲ୍ଲାରୁ ଆସିଥିବା ଝୁମର କଳାକାରମାନେ ଝୁମର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ବଲାଣି ଅଞ୍ଚଳର କୁଡୁମୀ ସମ୍ପ୍ରଦାୟର ଲୋକ ସହିତ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକ ଉପଭୋଗ କରିଥିଲେ । ରାଜେନ୍ଦ୍ର ମହାନ୍ତ ସଭା ପରିଚାଳନା କରିଥିବା ବେଳେ ବଲାଣି କୁଡୁମୀ ସମାଜର ସମ୍ପାଦକ ପଦ୍ମଲୋଚନ ମହାନ୍ତ, ସହ ସମ୍ପାଦକ ବିଦ୍ୟାଧର ମହାନ୍ତ, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ମହାନ୍ତ,ଉପସଭାପତି କ୍ଷିତିଶ ମହାନ୍ତ, ସଦସ୍ୟ ରାଜେନ୍ଦ୍ର ମହାନ୍ତ, ଭରତ ମହାନ୍ତ, ପଦ୍ମଲୋଚନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।