ସାଲେପୁର,ରାସ୍ତା କଡରେ ଥିବା ପେଟ୍ରୋଲ ପମ୍ପରେ ଗ୍ରାହକମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ସୁଯୋଗ ଯଥା ପେଟ୍ରୋଲ ପମ୍ପକୁ ଆସୁଥିବା ପଥଚାରୀମାନେ ସେହି ସୁବିଧା ଦ୍ଵାରା ଆଶ୍ଵସ୍ତିଲାଭ କରିଥାଆନ୍ତି । ମାତ୍ର କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ ଦୁହୁରିଆ ପର୍ଯ୍ୟନ୍ତ ଯେଉଁସବୁ ପେଟ୍ରୋଲ ପମ୍ପ ଅଛି ସେଥିରେ ମାର୍କେଟିଂ ଗାଇଡ୍ ଲାଇନ୍ ଅନୁସାରେ ସୁବିଧା ସୁଯୋଗ ନଥିବା ଦେଖାଦେଇଛି । ମାର୍କେଟିଂ ଗାଇଡ୍ ଲାଇନ୍ ଅନୁଯାୟୀ ପେଟ୍ରୋଲ, ଡିଜେଲ ଗାଡିରେ ଭର୍ତ୍ତି କରିବା ସମୟରେ ପେଟ୍ରୋଲ ପମ୍ପମାନଙ୍କରେ ଗ୍ରାହକମାନଙ୍କ ପାଇଁ ବିନା ମୂଲ୍ୟରେ ଏୟାର ପ୍ରେସର, ସୁଦ୍ଧ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା, ପରିଷ୍କାର ଶୌଚାଳୟ ଆଦି ସୁବିଧା ଉପଲବ୍ଧ ହେବା ସହ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସ୍ପଷ୍ଟଭାବେ ପ୍ରଦର୍ଶିତ ହେବା କଥା । ଏଥିସହ ପେଟ୍ରୋଲ ଓ ଡିଜେଲର ଶୁଦ୍ଧତା ଏବଂ ଓଜନ ଯାଞ୍ଚ ପାଇଁ ସରଞ୍ଜାମର ବ୍ୟବସ୍ଥା ହେବା ସହିତ ଏହି ରୋଡ୍ ରେ ଥିବା ବହୁ ପେଟ୍ରୋଲ ପମ୍ପରେ ଏଭଳି ସୁବିଧା ଯୋଗାଇ ଦିଆଯାଉନଥିବା ଦେଖାଯାଇଛି । ଖାଉଟିମାନେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କାରେ କିଣୁଥିଲା ବେଳେ ନିଜ ଗାଡିରେ ପ୍ରେସର ଦେବା ପାଇଁ ବାହାର ମାର୍କେଟରେ ୧୦ରୁ ୧୫ ଟଙ୍କା ଖର୍ଚ୍ଚ କରୁଥିବା ଜଣାଯାଇଛି । ଏହି ସୁବିଧା ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଥିଲାବେଳେ ପେଟ୍ରୋଲ ପମ୍ପର ମାଲିକମାନେ କେବଳ ପ୍ରେସର ମେସିନ ରଖି ଦାୟିତ୍ଵ ସାରିଦେଉଥିବା ମନେ ହେଉଛି ।
କଟକ – ଚାନ୍ଦବାଲି ରାସ୍ତାର ନାଳିଆମୁହଁ, ସାଲେପୁର, ନିଶ୍ଚିନ୍ତକୋଇଲି, ବାହାବଳପୁର, ଚାନ୍ଦୋଳ, ଜଗତପୁର, ପାଗା, ନାନ୍ଦୋଳଗଡା ଆଦି ସ୍ଥାନରେ ଗ୍ରାହକମାନେ କୌଣସି ସୁବିଧା ପାଉନଥିବା ଦେଖିବାକୁ ମିଳିଥିବାରୁ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଖାଉଟିମାନେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।