ସାଲେପୁର, ପବିତ୍ର ଉତ୍କଳ ଦିବସ ଅବସରରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଶିଶୁଆ ବ୍ୟାରେଜ୍ ପଡିଆରେ ଗତ ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ପାଳନ କରାଇଲେ । ଏହି ଦିନ ମାନଙ୍କରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଆସିଥିବା ହଜାର ହଜାର ବ୍ୟକ୍ତି ଓଡିଶାର ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କର ଭାଷଣ ଶୁଣିବା ସହ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ କଲେ । ଏହି ଉତ୍କଳ ଦିବସକୁ ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ କାଳିନ୍ଦୀ ବେହେରା ଆରମ୍ଭ କରିଥିଲେ ହେଁ ତାଙ୍କର ପୁତ୍ର ତଥା ସଦର ବିଧାୟକଙ୍କୁ ଏହି କାର୍ଯ୍ୟସ୍ଥଳୀକୁ ଡକାଯାଇନଥିଲା । ବାପ୍ ସେ ବେଟା ଜାଦା ଭଳି ସାଲେପୁର ମହୋତ୍ସବ ପରେ ସଦର ବିଧାୟକ ମଧ୍ୟ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଇସାଣୀବରହମପୁର ପଂଚାୟତର ମଲୀପୁରସ୍ଥିତ ମହାନଦୀ କୂଳରେ ଆସନ୍ତା ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ‘ମହାନଦୀ ତଟୋତ୍ସବ’ ପାଳନ କରିବା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସାମିଲ କରାଯାଇନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପାଇବା ସହ ସଦର ନିର୍ବାଚନ ମଣ୍ଡଳୀରେ ସାଂସଦ ଓ ବିଧାୟକଙ୍କ ମଝିରେ ପାଚେରୀ ଥିବା ଭଳି ମନେ ହେଉଛି ।
ସୂଚନା ଯୋଗ୍ୟ ଯେ ବିଗତ ଦିନରେ କେବଳ ନିର୍ବାଚନ ସମୟକୁ ଛାଡିଦେଲେ କୌଣସି ସମୟରେ ବିଧାୟକ ଓ ସାଂସଦ ଏକାଠି ହୋଇ କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନଥାନ୍ତି । ସଦର ବିଧାୟକ ସାଲେପୁରରୁ ଅଲୋଡା ହେବା ପରେ ଯେଉଁ ଉତ୍ସବ କରୁଛନ୍ତି ସେଥିରେ ନିଜେ ସମାଲୋଚନାର ପାତ୍ର ହେବେ ନାହିଁ ତ ? ତେବେ ଆଜି ବିଧାୟକ ଚନ୍ଦ୍ରସାରଥି ବେହେରା, କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଜିଲ୍ଲାପରିଷଦ ଉପସଭାପତି ଶୁଭଦ୍ରା ଦାସ, ନିଶ୍ଚିନ୍ତକୋଇଲି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ସଦର ବିଡିଓ ରାଜୀବ ଲୋଚନ ପରିଡାଙ୍କ ସମେତ ସଦର ନିର୍ବାଚନ ମଣ୍ଡଳୀର ସରପଂଚ, ସମିତିସଭ୍ୟ ଓ କର୍ମୀ ଉପସ୍ଥିତ ଥିଲେ । ଜେସାକୁ ତେସା ନୀତିରେ ବିଧାୟକଙ୍କର ଏହି କାର୍ଯ୍ୟକୁ ସାଧାରଣରେ ଭୂୟଶୀ ପ୍ରଶଂସା କରାଯାଇଛି ।