
ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ଘୁମୁସର ମାଟି ର ଗୋବରା ଗ୍ରାମ ଆଜି ଜଣେ ବରିଷ୍ଠ ଅନନ୍ୟ କଳାକାର ଙ୍କୁ ହରାଇ ଶୋକ ସାଗର ରେ ବୁଡିରହିଛି l କଳାର ପୂଜାରୀ ତଥା କଳା ଜଗତ ର ଭୀଷ୍ମ ସ୍ବର୍ଗତ ଗଣନାଥ ଜେନା (86) ବାଲେଶ୍ୱର ଜିଲ୍ଲାର ସିନ୍ଦୁରା ପଲ୍ଲୀ ଗ୍ରାମରେ ଜନ୍ମ ହୋଇଥିଲେ ମଧ୍ୟ ସେଠାରୁ ଆସି ଗଞ୍ଜାମ ଜିଲ୍ଲା ଘୁମୁସର ମାଟିର କଳା, ଐତିହ୍ୟ ରେ ସମ୍ପୂର୍ଣ ବିଭୋର ହୋଇ ନିଜ ଜନ୍ମମାଟି କୁ ଭୁଲିଯାଇ ଜୀବନ ର ଶେଷ 40 ବର୍ଷ ଭଞ୍ଜମାଟିର ଗୋବରା ଗ୍ରାମକୁ ଆପଣେଇ ନେଇ ଏଠାରେ ଶେଷ ଜୀବନ ଅତିବାହିତ କରିଥିଲେ l ତାଙ୍କ ବିରଳ ବ୍ୟକ୍ତିତ୍ୱ କୁ ସମ୍ମାନ ଜଣାଇ ଗୁରୁ ଭଳି ପୂଜା କରିଥିଲେ ସ୍ଥାନୀୟ କଳାକାରମାନେ l ଯାହାଫଳରେ ସ୍ବର୍ଗତ ଜେନା ଏଠାରେ ସ୍ଥାନୀୟ ଲୋକଙ୍କ ସ୍ନେହ ପ୍ରେମରେ ବାନ୍ଧି ହୋଇ ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ସ୍ଥିର କରିଥିଲେ l ସ୍ବର୍ଗତ ଜେନା ଏକାଧାରରେ ଜଣେ ମୂର୍ତ୍ତି ଶିଳ୍ପୀ, ମଞ୍ଚ ଅଭିନେତା, ନିର୍ଦ୍ଧେଶକ, ଓ ମଞ୍ଚଶିଳ୍ପୀ ଭାବେ ସାରା ରାଜ୍ୟରେ ବେଶ ସୁନାମ ଅର୍ଜନ କରିଥିଲେ l ସେ ଓଡ଼ିଆ ଚଳଚ୍ଚିତ୍ର ପୁନଃର୍ରମିଳନ, ଏ ନୁହେଁ କାହାଣୀ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରେ କଳା ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିଲେ ଏବଂ 5 ଟି ପ୍ରମୁଖ ନାଟ୍ୟ ଅନୁଷ୍ଠାନ ର ମୁଖ୍ୟ ନିର୍ଦେଶକ ଥିଲେ l ଏଠାରେ ଦୀର୍ଘ 40 ବର୍ଷ ରହଣି ସମୟରେ ବହୁ ଶିଷ୍ୟଙ୍କୁ ଉଚିତ ମାର୍ଗ ଦର୍ଶନ ଦେଇଥିଲେ l ଯାହା ଫଳରେ ତାଙ୍କ ବିୟୋଗରେ କଳା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଲା l ସେ ଗତ 1ବର୍ଷ ହେଲା ରୋଗାଗ୍ରସ୍ତ ଥିଲେ l ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଆଜି ଅପରାହ୍ନ ରେ ତାଙ୍କ ମୃତ ଶରୀର କୁ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିବା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l ଏଥିରେ ସ୍ଥାନୀୟ ଲୋକଙ୍କ ସମେତ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଦସ୍ୟ ସୁବାଷ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାବତ,ରବି ଦାଶ, ନାରାୟଣ ମହାରଣା, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସୁରେନ୍ଦ୍ର ଜେନା, ବ୍ଲକ ସଂଯୋଜକ ଜୟ କ୍ରିଷ୍ଣା ପଟ୍ଟନାୟକ ଗୋବରା ସରପଞ୍ଚ, ସମିତି ସଭ୍ୟ ଙ୍କ ପ୍ରତିନିଧି ଓ ଗ୍ରାମବାସି ମାନେ ଶବାଧାରରେ ସାମିଲ ହୋଇଥିଲେ l