ଭୁବନେଶ୍ୱର, ଓଡିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସରକାରୀ ମହାବିଦ୍ୟାଳୟ ଗୁଡିକରେ ସରକାରୀ ଘରୋଇ ସହଭାଗିତାରେ ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ନିଷ୍ପତିକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଦଳର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ବିବୃତିରେ ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି । ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟର ବହୁ ପୁରାତନ ସରକାରୀ ମହାବିଦ୍ୟାଳୟ ମାନଙ୍କରେ ଖୋଲୁଥିବା ବହୁ ପ୍ରତିକ୍ଷିତ ସ୍ନାତୋକତର ଶ୍ରେଣୀ ଗୁଡିକୁ ସେଲ୍ଫ ଫାଇନାନ୍ସ ମୋଡରେ ପରିଚାଳନା ପାଇଁ ଅନୁମତି ଦେବା ଅତ୍ୟନ୍ତ ନିନ୍ଦନୀୟ ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ୬୫ ବର୍ଷ ପୁରାତନ ଶଶିଭୂଷଣ ରଥ ସରକାରୀ/ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟରେ ଗଣିତ, ବାଣିଜ୍ୟ, ରାସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଦର୍ଶନ ଶାସ୍ତ୍ର, ଶିକ୍ଷା ଆଦି ମୌଳିକ ପାଠ୍ୟକ୍ରମ ଗୁଡିକୁ ସେଲ୍ଫ ଫାଇନାନ୍ସ ମୋଡରେ ଛାତ୍ରୀଙ୍କ ନାମ ଲେଖା ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ଶିକ୍ଷାର୍ଥୀମାନଙ୍କୁ ହଜାର ହଜାର ଟଙ୍କାର ବାର୍ଷିକ ଫିସ୍ ଦେବାକୁ ପଡିବ । ଯେଉଁ ଘରୋଇ ଶିକ୍ଷାନୁଷ୍ଠାନ କୁ ସହଭାଗିତାରେ ସୁଯୋଗ ଦିଆଯାଇଛି ସେମାନଙ୍କ ସ୍ନାତୋକତର ବିଜ୍ଞାନ, କଳା, ବାଣିଜ୍ୟ ଆଦି କ୍ଷେତ୍ରରେ କେତେ ଅଭିଜ୍ଞତା ରହିଛି ତାହା ବିଚାରକୁ ନିଆ ଯାଇଛି ତାହା ମଧ୍ୟ ବିଚାର୍ଯ୍ୟ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସାର୍ବଜନିନ ଶିକ୍ଷାକୁ ଘରୋଇ ପରିଚାଳନାଧିନ କରି ଘରୋଇକରଣ କରିବା ଚାହିଁନ୍ତି । ଶିକ୍ଷା ବିଭାଗ ପରିଚାଳନାରୁ ସରକାର ଦୂରେଇ ଯାଇ ଘରୋଇ ବେପାରୀଙ୍କ ହାତରେ ଟେକିଦେବା ମସୁଧା ଯୋଗୁଁ ସାଧାରଣ ପରିବାରର ଶିକ୍ଷାଥିୀ ଉଚ୍ଚଶିକ୍ଷାରୁ ବଂଚିତ ହେବା ସଙ୍ଗେ ସଙ୍ଗେ ଗୁଣାତ୍ମକ ଶିକ୍ଷାଦାନ ମଧ୍ୟ ବ୍ୟାହତ ହେବ । ତେଣୁ ସରକାରୀ ଘରୋଇ ସହଭାଗିତା ଭିତିକ ପାଠ୍ୟକ୍ରମବନ୍ଦ କରିବା ଲାଗି ଦାବୀ କରାଯାଇଛି । ଏହି ମର୍ମରେ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି ।