ମାଲକାନଗିରି, ଗଛରେ ପିଟିହେଲା ଚାଉଳ ବୋଝେଇ ପିକଅପ ଭ୍ୟାନ। ମାଲକାନଗିରି – ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମ ଠାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଆଜି ସକାଳେ ମାଲକାନଗିରି ଜିଲ୍ଲାରୁ ଚାଉଳ ବୋଝେଇ କରି ଓଡି ୦୭ଏସ-୩୩୫୮ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନ ଜୟପୁର ଅଭିମୁଖେ ଯାଉଥିଲା ବେଳେ ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡା ଛକ ଠାରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ଘର ମାଲକାନଗିରି ଜିଲ୍ଲା ଏମଭି -୫୬ ଗ୍ରାମରେ। ତାଙ୍କ ନାମ ଅସିତ କୁମାର ଗୋଲଦାର ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମାଲକାନଗିରି ଅଗ୍ନିଶମ ଅଧିକାରୀ କେ. କେ. ଗୌଡ଼ଙ୍କ ନେତୃତ୍ଵରେ ମନ ମୁଦୁଲି, ତନ୍ମୟ ସାହୁ, ଧନ ସିଂ ଭତ୍ରା, ଗୌରାଙ୍ଗ ସମରଥ, ଜଗବନ୍ଧୁ ପଡାଲ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ଗାଡି ଭିତରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାରୁ ଗାଡିକୁ ଗ୍ୟାସ କଟର ସାହାଯ୍ୟରେ କାଟି ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ମାଥିଲି ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି।