ଘଟଗାଁ, କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧିନସ୍ଥ ଗଦାଧରପୁର ପଞ୍ଚାୟତ ନାକଝରୀ ଗ୍ରାମ ନିକଟରୁ ସୋମବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ଅନୁଯାୟୀ, ନାକଝରୀ ଗ୍ରାମ ଖୁଣ୍ଟାସାହିର ମଣ୍ଟୁ ନାଏକ ନାମକ ବ୍ୟକ୍ତି ଗୋଡିପୋଖରୀ ଆମ୍ବତୋଟାର ଏକ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆଜି ସକାଳେ ନାକଝରୀ ଗ୍ରାମର ଲୋକେ ଶୌଚ ପାଇଁ ଉକ୍ତ ପୋଖରୀକୁ ଯିବା ବେଳେ ଝୁଲନ୍ତା ଅବସ୍ଥାରେ ମଣ୍ଟୁର ମୃତଦେହ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ପକ୍ଷରୁ ଥାନାରେ ଜଣାଇବା ପରେ ଘଟଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ଲୋକଙ୍କ କହିବା ଅନୁଯାୟୀ, ଖୁଣ୍ଟା ସାହିରେ ବାସ କରିଆସୁଥିବା ବେଣୁଧର ନାଏକଙ୍କ ପୁଅ ମଣ୍ଟୁ ରବିବାର ରାତିରେ ଅତ୍ୟଧିକ ମଦ୍ୟପାନ କରି ନିଜ ପତ୍ନୀ ସହିତ କଳିକଜିଆ କରିବା ସହ ମାଡ଼ ମାରି ଘରୁ ବାହାରି ଯାଇ ଆଉ ଫେରିନଥିଲା । ମୃତ ମଣ୍ଟୁର ପତ୍ନୀ ଓ ଏକ ଭିନ୍ନକ୍ଷମ ପୁଅ ଅଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।