
ବଲାଣି, ବଲାଣି ଖଣିରେ କାର୍ଯ୍ୟରତ ଠିକା କର୍ମଚାରୀ ଓ ସ୍ଥାୟୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଲାଣି ଠିକା ମଜଦୂର ସଙ୍ଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଶ୍ରମିକ ସମାବେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଆଗଧାଡ଼ିର ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ବଲାଣି ପହଞ୍ଚିବେ । ବଲାଣି ଖଣି ଅଂଚଳର ଶ୍ରମିକ ନେତା ତଥା ସଂଘର କାର୍ଯ୍ୟକାରୀ ସଭାପତି କମଳା ପତି ଯାଦବ ସୂଚନା ଦେଇ କହିଛନ୍ତି ଯେ ସେ ସଡ଼କ ପଥରେ ଆସି ବଡ଼ବିଲ ଠାରେ ଏକ ଶୋଭାଯାତ୍ରାରେ ସାମିଲ ହେବା ପରେ ପୁରୁଣା ଥାନା ନିକଟରେ ଥିବା କ୍ରିକେଟ ପଡିଆ ଠାରେ ଶ୍ରମିକ ସମାବେଶ ରେ ଉଦବୋଧନ ଦେବେ । ବଲାଣି ପେଟ୍ରୋଲ ପମ୍ପ ଠାରୁ ତାଙ୍କୁ ସ୍ବାଗତ କରାଯିବା ସହିତ ସେଠାରୁ ପଦଯାତ୍ରାରେ ଆସି କ୍ରିକେଟ ପଡ଼ିଆରେ ଶ୍ରମିକ ସମାବେଶ ରେ ଯୋଗ ଦେବେ । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଂଚିଛି ବୋଲି ଶ୍ରୀ ଯାଦବ କହିଛନ୍ତି । ବଲାଣି ଖଣିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ବହୁ ଦିନରୁ ଲମ୍ବିତ ପଡିଥିବା ମୁଖ୍ୟ ଦାବି ଯଥା ରାତ୍ରକାଳୀନ ଭତ୍ତା, ପରିବାର ସହିତ ଠିକା କର୍ମଚାରୀଙ୍କୁ ଖଣି ଡାକ୍ତରଖାନାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ସହିତ ବସବାସ କରିବାକୁ କ୍ବାଟର୍ସ ପ୍ରଦାନ ରହିଥିବା ବେଳେ ବଲାଣି ଖଣିର ଡାକ୍ତରଖାନାରେ ଉଭୟ ସ୍ଥାୟୀ କର୍ମଚାରୀ, ଠିକା କର୍ମଚାରୀ ଓ ଖଣି ପରିସରରେ ରହୁଥିବା ବାସିନ୍ଦାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଆଦି ଦାବି ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମାଧ୍ୟମରେ ପୂରଣ କରାଯିବାକୁ ଏହି ସମାବେଶ ଆୟୋଜନ ହେଉଥିବା ନେଇ ଶ୍ରୀ ଯାଦବ ସୂଚନା ଦେଇଛନ୍ତି ।