ଘଟଗାଁ, କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆଜିଠୁ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଚାଲିବ ମା ତାରିଣୀଙ୍କ ଏହି ଚଇତି ପର୍ବ । ଆଜି ଚଇତି ପର୍ବର ପ୍ରଥମ ଦିବସରେ ଭୋର ସାଢେ ୪ଟାରେ ମନ୍ଦିର ଦ୍ଵାରଫିଟା, ମା ତାରିଣୀଙ୍କ ବିଶେଷ ପୂଜା ନୀତି ଯଥା- ସ୍ନାନ, ମହାସ୍ନାନ, ମାଜଣା, ମଙ୍ଗଳ ଆଳତୀ, ଷୋଡ଼ଶ ଉପଚାର ପୂଜା ଏବଂ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ପରେ ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଆଜି ଠାରୁ ସପ୍ତାହବ୍ୟାପୀ ମନ୍ଦିର ବେଢ଼ାରେ ହୋମ ଓ ଚଣ୍ଡୀପାଠ ଆଦିର କାର୍ଯ୍ୟକ୍ରମ ରହିଛି । ଆଜି ଚଇତି ପର୍ବର ପ୍ରଥମ ଦିନରେ ମାଙ୍କ ସୁନାବେଶ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଭକ୍ତ ମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ମୁଖଶାଳା ଓ ଟିକେଟ କାଉଂଟର ଦେଇ ମନ୍ଦିର ପ୍ରବେଶ ପୂର୍ବକ ମାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ବେଢ଼ା ପରିକ୍ରମା କରି ପଶ୍ଚିମ ଦ୍ଵାର (୪ ନମ୍ବର ଗେଟ୍) ଦେଇ ପ୍ରସ୍ଥାନ କରୁଛନ୍ତି । ଭକ୍ତଙ୍କ ଦର୍ଶନ ନିମନ୍ତେ ଦୁଇଟି ଧାଡ଼ିର ବ୍ୟବସ୍ଥା କରାଯାଇଛି । ଗୋଟିଏ ଧାଡିରେ ଶ୍ରଦ୍ଧାଳୁଙ୍କ ନିମନ୍ତେ କେବଳ ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ମନ୍ଦିରକୁ ଭୋଗ ନେଇ ଯାଉଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ୟ ଏକ ଧାଡ଼ିର ବ୍ୟବସ୍ଥା କରାଯାଇଛି । ସକାଳ ୬ଟା ଠାରୁ ଦର୍ଶନ ଆରମ୍ଭ ହୋଇଛି । ରାତି ୮ଟା ପର୍ଯ୍ୟନ୍ତ ଭକ୍ତ ମାନେ ମାଙ୍କ ଦର୍ଶନ କରିପାରିବେ । ଅପରାହ୍ନ ସାଢେ୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ମା’ଙ୍କ ବିଶ୍ରାମ ପାଇଁ ଦର୍ଶନ ବନ୍ଦ ରହିବ।