ଭୁବନେଶ୍ୱର, ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ହୋଇଥିବା ନେଇ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ ପକ୍ଷରୁ ଜାରୀ ରିପୋର୍ଟରେ କୁହାଯିବା ପରେ ଭାରତୀୟ ଜନତା ପାର୍ଟି ବିଜେଡିକୁ ଟାର୍ଗେଟ କରିଛି ।
ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିଶେଷ କରି ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ବିଜେଡି ଏହି ଅର୍ଥ ମହଜୁଦ କରିଛି ବୋଲି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ଶିଳ୍ପ ସଂସ୍ଥା ମାନଙ୍କ ସହ ଚୁକ୍ତି ସ୍ୱାକ୍ଷର କଲା ବେଳେ ସେମାନଙ୍କୁ ଟଙ୍କା ଦେବା ପାଇଁ ଚାପ ପକାଯାଉଥିବାରୁ ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଆସୁ ନାହାନ୍ତି ।
ଉଲ୍ଲେଖନୀୟ ଯେ ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ । ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି । ଏମିତିକି ବିଜେଡିର ଆୟ, ଅନ୍ୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।